fbpx

୯୦ ଦିନ ପାଇଁ ଉଡ଼ିପାରିବ ସୋଲାର ପ୍ଲେନ୍‌, ସୀମାରେ ଶତ୍ରୁଙ୍କ ଉପରେ ରଖିବ କଡ଼ା ନଜର

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକ ଏଭଳି ଏକ ସୋଲାର ବିମାନ ପ୍ରସ୍ତୁତ କରୁଛନ୍ତି ଯାହା ଯୁଦ୍ଧ କ୍ଷେତ୍ର ପାଇଁ କ୍ରାନ୍ତିକାରୀ ପ୍ରମାଣିତ ହେବ । ବିମାନର ବିଶେଷତ୍ୱ ହେଉଛି ଏହା ୯୦ ଦିନ ପାଇଁ ଉଡ଼ାଣ ଭରିବାରେ ସକ୍ଷମ ହେବ । ଏହାର ଏକ ଛୋଟ ଭର୍ସନ ପ୍ରସ୍ତୁତ କରାଯାଇଛି ଯାହା ସଫଳତାପୂର୍ବକ ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରିଛି । ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଏରୋସ୍ପେସ୍ ଲ୍ୟାବୋରେଟୋରିଜ୍‌(NAL)ଦ୍ୱାରା ପ୍ରସ୍ତୁତ କରାଯାଉଛି । ଏହାକୁ ହାଇ ଆଲଟିଟ୍ୟୁଡ୍ ପ୍ଲାଟଫର୍ମ ଷ୍ଟେସନ୍‌(HAPS) ନାଁ ଦିଆଯାଇଛି । ଏହି ବିମାନ ସୌର ଉର୍ଜ୍ଜା ଦ୍ୱାରା ସଂଚାଳିତ ହେବ ଏବଂ ଏଥିରେ କେହି ପାଇଲଟ୍ ନଥିବେ । ଏହାର ସବୁଠାରୁ ବଡ଼ ଫାଇଦା ହେଉଛି କି ଏହା ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବାରେ ସହାୟକ ହେବ ।

ବେଙ୍ଗାଲୁରୁ ସ୍ଥିତ ଏକ ଷ୍ଟାର୍ଟଅପ୍ ନ୍ୟୁ ସ୍ପେସ୍ ରସର୍ଚ ଆଣ୍ଡ୍ ଟେକ୍ନୋଲୋଜି ସୋଲାର ବିମାନର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି ଯାହା ଅଟୋମେଟିକ୍ ମୋଡରେ ୧୭ରୁ ୨୦ କିମି ଉଚ୍ଚତାରେ ଦିନ-ରାତି ଉଡ଼ାଣ ଭରିବାରେ ସକ୍ଷମ ହେବ । ନ୍ୟାସନାଲ ଏରୋସ୍ପେସ୍ ଲ୍ୟାବୋରେଟୋରିଜ୍ ଅନୁଯାୟୀ ଏହା ଯୁଦ୍ଧ ସମୟରେ HAPS ସେନାଙ୍କ ଗତିବିଧି ମନିଟର କରିବ । ଏହା ଷ୍ଟ୍ରାଟେଜିକ୍ ଭାବେ ସହାୟକ ହେବା ସହ ଇଣ୍ଟେଲିଜେନ୍ସ ଏବଂ ସର୍ଭିଲାନ୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । HAPS ଯୁଦ୍ଧ ସମୟରେ ମଧ୍ୟ ଯୋଗାଯୋଗ ସ୍ଥାପନ କରିପାରିବ । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବିଶ୍ୱରେ ଏକମାତ୍ର HAPS ରହିଛି ‘ଏୟାରବସ୍ ଜେଫାୟର’ ଯାହା ଆମେରିକାର ଏରିଜୋନା ମରୁଭୂମିରେ କ୍ରମାଗତ ୬୪ ଦିନ ପାଇଁ ଉଡ଼ାଣ ଭରିସାରିଛି । ଆମେରିକା, ବ୍ରିଟେନ୍‌, ଜର୍ମାନୀ ଏବଂ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶ ଏଭଳି ବିମାନ ପ୍ରସ୍ତୁତିରେ ଅଛନ୍ତି ।

Get real time updates directly on you device, subscribe now.