fbpx

ପିଲା ପଢିବେ କୋଭିଡ୍ ପାଠ, ଚଳିତ ଶିକ୍ଷାବର୍ଷ ଶତପ୍ରତିଶତ ପାଠ୍ୟକ୍ରମରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଏଣିକି ସ୍କୁଲରେ କୋଭିଡ୍ ସଂକ୍ରାନ୍ତ ପାଠ ପଢ଼ାଯିବ। ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ସଂକ୍ରାନ୍ତ ବିଷୟବସ୍ତୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ ସିଲାବସ୍‌ରେ ଏହି ବିଷୟ ପଢ଼ାଯିବ। ସେହିପରି ଚଳିତବର୍ଷ ଶିକ୍ଷାବର୍ଷରୁ ମାଟ୍ରିକର ଶତ ପ୍ରତିଶତ ସିଲାବସ୍‌ ପାଠ ପଢ଼ାଯିବ ଓ ପରୀକ୍ଷା ମଧ୍ୟ ସେହି ଅନୁସାରେ ହେବ। ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ଗାଇଡ୍‌ଲାଇନ୍ ଜାରି କରିଛି, ତାହା ପାଳନ କରାଯାଉଛି ବୋଲି ମନ୍ତ୍ରୀ ଦାଶ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇବର୍ଷ ମହାମାରୀ କରୋନା ଯୋଗୁ ସ୍କୁଲ ବନ୍ଦ ରହିଥିଲା। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖୁ ଗତବର୍ଷ ମାଟ୍ରିକ ପରୀକ୍ଷା ମଧ୍ୟ ହୋଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ଘୋଷଣା କରାଯାଇଥିଲା। ଚଳିତବର୍ଷ ଯଦିଓ ପରୀକ୍ଷା ହୋଇଥିଲା କିନ୍ତୁ ସିଲାବସ୍ କମାଇ ଦିଆଯାଇଥିଲା। ଏବେ ପୂର୍ବାପେକ୍ଷା କରୋନା ହ୍ରାସ ପାଇଥିବାରୁ ଆସନ୍ତା ବର୍ଷରୁ ଶତ ପ୍ରତିଶତ ବିଷୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି। କରୋନା ଆମକୁ ବହୁତ କିଛି ଶିଖାଇଛି। କରୋନାର ଭୟାବହତା ଲୋକେ ଜାଣିଲେ। ତେଣୁ ଏହି ବିଷୟକୁ ପାଠ୍ୟକ୍ରମରେ ସାମିଲ କରାଯିବ।

ଆସନ୍ତା ଶିକ୍ଷାବର୍ଷରୁ ମାଟ୍ରିକ ପିଲାମାନେ ଜଳବାୟୁ ପରିବର୍ତ୍ତନ ସହିତ କରୋନା ବିଷୟରେ ପାଠ ପଢ଼ିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନେ ଜୀବ ବିଜ୍ଞାନରେ ୧୧ଟି ଅଧ୍ୟାୟ ପଢ଼ି ପରୀକ୍ଷା ଦେବେ। ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବାବେଳେ ଏବେ ମହାମାରୀ କୋଭିଚ୍‌-୧୯ ଓ ତାହାର ପରିଚାଳନା ନାମକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି। ଭୂଗୋଳ ବହିରେ ମଧ୍ୟ ଜଳବାୟୁଜନିତ ବିପରି ଏବଂ ପରିଚାଳନା ସଂକ୍ରାନ୍ତ ନୂତନ ଅଧ୍ୟାୟ ସାମିଲ କରାଯାଇଛି। ସଂସ୍କୃତ ବହିରେ ଥିବା ‘ଶୃଗାଳ ଶିଶୁ କଥା’ ଅଧ୍ୟାୟ ପୂର୍ବରୁ ପଢ଼ାଯାଉ ନ ଥିବାବେଳେ ଚଳିତ ଶିକ୍ଷାବର୍ଷରେ ସଂସ୍କୃତ ଇଚ୍ଛାଧୀନ ବିଷୟ ରଖୁଥିବା ଛାତ୍ରୀଛାତ୍ର ଏହା ପଢ଼ିବେ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.