fbpx
BSKY
BJD YOUTH SKY
BJD MS SKY

ସମ୍ଭାବ୍ୟ ବାତ୍ୟା ‘ମୋଚା’ ନେଇ ପ୍ରସ୍ତୁତି ଜୋରଦାର: ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ, ୭ରୁ ବଢିବ ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଆସୁଥିବା ବାତ୍ୟା ‘ମୋଚା’କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି । ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବାତ୍ୟା ସମୟରେ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଜଣେ ଲୋକର ଜୀବନହାନୀ ନ ଘଟେ ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।

ସେହିପରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ଏସଆରସିଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୮ ତାରିଖରେ ଅବପାତ ରୂପ ନେବା ସମ୍ଭାବନା ରହିଛି । ସେହିପରି ୯ରେ ବାତ୍ୟା ହେବ ବୋଲି ଆକଳନ କରାଯାଇଛି । ତେବେ ଏହାର ଗତିପଥ ଓ ତୀବ୍ରତା କେତେ ରହିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଓଡ଼ିଶା ଉପରେ ବର୍ତ୍ତମାନ ପାଇଁ ଏହାର କୌଣସି ପ୍ରଭାବ ନଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାହା କିଛି ଆକଳନ କରିବା ସମ୍ଭବ ହେବ ବୋଲି ସେ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ପୁଣି ବଢିବ ତାତିର ପ୍ରକୋପ । ଚଳିତ ମାସ ୭ ତାରିଖ ବେଳକୁ ପୁଣି ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସାଙ୍ଘାତିକ ଗ୍ରୀଷ୍ମ ଲହରୀକୁ ଟାଣିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୫ ତାରିଖ ପରେ କାଳବୈଶାଖୀ ପ୍ରଭାବ ହ୍ରାସ ପାଇବ ଓ ଏହାପରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଏପରିକି କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି । ୯, ୧୦ ଓ ୧୧ରେ ଭୀଷଣ ଗରମ ଅନୁଭୂତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଯଦି ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳ ଆଡ଼କୁ ମୁହାଁଇବ ତେବେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ବର୍ଷା ହେବା ସହ ତାତିର ପ୍ରକୋପ ଦୁଇ ଚାରି ଦିନ ପର୍ଯ୍ୟନ୍ତ ହ୍ରାସ ପାଇବାର ଆକଳନ କରାଯାଇଛି । ଯଦି ବାତ୍ୟା ଭାରତ ଉପକୂଳରୁ ଦୂରେଇ ଯାଏ ତେବେ ତାତିର ପ୍ରକୋପ ହ୍ରାସ ପାଇବା ସମ୍ଭାବନା କମ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.