ନୂଆଦିଲ୍ଲୀ: ଆଜିକାଲି ସମାଜରେ ଲୁଟେରାଙ୍କ ଅଭାବ ନାହିଁ । ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ଲୁଟ୍ କାମରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଜଣେ ପ୍ରପର୍ଟି ଡିଲରକୁ ନିଜ ଜାଲରେ ଫସାଇ ବ୍ଲାକମେଲ କରିବା ସହ ଲକ୍ଷ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଜଣେ ମହିଳାଙ୍କ ସହିତ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୋଲିସର କହିବା ମୁତାବକ, ଗାଁର ଜଣେ ଯୁବକ ସମ୍ପତ୍ତି ବା ପ୍ରପର୍ଟି ଡିଲର ଭାବେ କାମ କରନ୍ତି । ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । କଲ୍ ଉଠାଇବା ପରେ ଜଣେ ମହିଳାଙ୍କ ସ୍ୱର ଶୁଣାଯାଇଥିଲା । ସେ ତାଙ୍କୁ ଏକ ପ୍ଲଟ କିଣିବାକୁ କହିଥିଲେ । ସାକ୍ଷାତ ପରେ ମହିଳା ଜଣକ ତାଙ୍କୁ ମଙ୍ଗଲୌରର ଏକ ଘରକୁ ଡାକିଥିଲେ । ସେଠାରେ କୋଲ୍ଡ ଡିଙ୍କସରେ କିଛି ନିଶା ପଦାର୍ଥ ମିଶାଇ ତାଙ୍କ ସହ ଅଶ୍ଲୀଳ କାମ କରିଥିଲେ ମହିଳା । ମହିଳାଙ୍କ ସାଥୀମାନେ ଏହାର ଭିଡ଼ିଓ କ୍ଲିପ୍ ପ୍ରସ୍ତୁତ କରିଥିଲେ । ପରେ ମହିଳା ଫୋନ୍ କରି ୧୬ ଲକ୍ଷ ଟଙ୍କା ମାଗିଥିଲେ ଓ ନଦେଲେ ଏହି ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ ।
ଏହି ମାମଲାରେ ମହିଳାଙ୍କ ଦହିତ ତାଙ୍କର ୩ ସାଥୀ ମଧ୍ୟ ସାମିଲ ଥିଲେ । ତାଙ୍କୁ ଜୀବନରୁ ମାରିବା ଓ ମିଛ ମାମଲାରେ ଜେଲରେ ପୂରାଇବାର ଧମକ ଦେଉଥିଲେ । ଏହି ଘଟଣାରେ ଇନ୍ଦିରା କଲୋନୀ ପେପର ମିଲ ସାହାରନପୁରର ବବିତା,ବ୍ରୁଜେଶ, ବିଜେନ୍ଦ୍ର ଚୌହ୍ୱାନ ତଥା ୟଶପାଳ, ଅମିତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରିବା ସହ ଘଟଣାର ଛାନଭିନ୍ ଜାରି ରଖିଛି ପୋଲିସ ।