ଟକ୍ସିକ୍ ହୋଇଯାଇଛି ‘X’ ପ୍ଲାଟଫର୍ମ…ଏମିତି କିଛି କହି ବିଦାୟ ନେଲା ବ୍ରିଟେନର ଏହି ଖବରକାଗଜ

ନୂଆଦିଲ୍ଲୀ: ନିକଟରେ ଟ୍ରମ୍ପ କ୍ୟାବିନେଟରେ ସାମିଲ ହୋଇଥିବା ଟେକ୍ ଆରବପତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ର ମାଲିକ ଏଲନ୍ ମସ୍କ । ବର୍ତ୍ତମାନ ତାଙ୍କ ପାଇଁ ଭଲ ଦିନ ନା ଖରାପ ଦିନ ଆରମ୍ଭ ହୋଇଛି କହିବା କଷ୍ଟକର । ଗୋଟିଏ ପଟେ ତାଙ୍କୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ମସ୍କଙ୍କୁ ନିଜ ସରକାରରେ ବଡ଼ ଦାୟିତ୍ୱ ଦେଇଥିବା ବେଳେ ଅନ୍ୟପଟେ ତାଙ୍କ ବିରୋଧରେ ପ୍ରଦର୍ଶନ ଓ ମକଦ୍ଦମା ଦାୟର କରାଯାଇଛି । ଏନେଇ ବ୍ରିଟେନର ବିଶିଷ୍ଟ ଖବରକାଗଜ କମ୍ପାନୀ ‘X’ କୁ ବୟକଟ୍ କରିଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

‘X’ ବିନା ଅନୁମତିରେ ବିଷୟବସ୍ତୁ(କଣ୍ଟେଣ୍ଟ) ବ୍ୟବହାର କରୁଥିବା ନେଇ ୟୁରୋପର ସବୁଠାରୁ ଧନୀ ବ୍ୟକ୍ତି କୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି । ଅପରପକ୍ଷରେ ବ୍ରିଟେନର ଶୀର୍ଷ ଖବରକାଗଜ ‘ଦି ଗାର୍ଡିଆନ୍’ ଅଭିଯୋଗ କରିଛି କି ‘X’ ଘୃଣାକୁ ବିସ୍ତାର କରୁଛି । ଏଥିପାଇଁ ‘ଦି ଗାର୍ଡିଆନ୍’ ଏଲନ୍ ମସ୍କଙ୍କୁ ଦାୟୀ କରିଛି । ତେଣୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାକୁ ମନା କରିଦେଇଛି । ‘X’ ରେ ଶେଷ ପୋଷ୍ଟ ଶେୟାର କରି ‘ଦି ଗାର୍ଡିଆନ୍’ ଲେଖିଛି, ‘ଆମକୁ ଲାଗୁଛି କି ବର୍ତ୍ତମାନ ‘X’ ରେ ରହିବାର କିଛି ଫାଇଦା ନାହିଁ । ଏଠି କେବଳ ନକାରାତ୍ମକତା ବୃଦ୍ଧି ପାଉଛି ।’ ସେ ଆହୁରି ମଧ୍ୟ କହିଛି କି ‘X’ ବର୍ତ୍ତମାନ ଏକ ଟକ୍ସିକ୍ ପ୍ଲାଟଫର୍ମ ପାଲଟିଯାଇଛି । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ଆମେ କଣ୍ଟେଣ୍ଟ ପ୍ରମୋଟ କରିବା ପାଇଁ ଅନ୍ୟ ଉତ୍ତମ ବିକଳ୍ପ ଖୋଜିବା । କହିରଖୁଛୁ ଏହି ପୋଷ୍ଟ ସହ ‘ଦି ଗାର୍ଡିଆନ୍’‘X’ରୁ ଏକଜିଟ୍ ହୋଇଯାଇଥିଲା । ‘ଦି ଗାର୍ଡିଆନ୍’ ହେଉଛି ବିଶ୍ୱର ପ୍ରତିଷ୍ଠିତ ଏବଂ ପୁରୁଣା ଖବରକାଗଜ ମଧ୍ୟରୁ ଅନ୍ୟତମ । ୧୮୨୧ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ସେହି ସମୟରେ ଖବରକାଗଜର ନାଁ ମାନଚେଷ୍ଟର ଥିଲା କିନ୍ତୁ ୧୯୫୯ରେ ଏହାର ନାଁ ପରିବର୍ତ୍ତନ କରାଯାଇ ‘ଦି ଗାର୍ଡିଆନ୍’ ରଖାଗଲା । କହିରଖୁଛୁ ‘X’ ରେ ‘ଦି ଗାର୍ଡିଆନ୍’ର ୨ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି ।