fbpx

ବଡ଼ ଅଘଟଣ: ବିଧାୟକଙ୍କ ସରକାରୀ ବାସଭବନରୁ ଲୁଟ୍, ଚୋର ନେଇଗଲା ଅନେକ ସମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ଚୋରମାନେ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରୁଥିବା ଦେଖାଯାଉଛି । ଚାରି ଗ୍ୟାଙ୍ଗର ସଦସ୍ୟମାନେ ଦିନବେଳା ବିଭିନ୍ନ ବାହାନା କରି କେଉଁ ଘର ତାଲା ପଡ଼ିଛି, କେଉଁ ଘରେ କେହି ରହୁନାହାନ୍ତି ସେନେଇ ଟିକିନିଖି ଖବର ନେଇଥାନ୍ତି । ଏହାପରେ ରାତି ବେଳା ଗ୍ରୀଲ ତାଡ଼ି ଘରୁ ସୁନା, ଅଳଙ୍କାର, ଅର୍ଥ ଲୁଟ୍ କରିନେଇଥାନ୍ତି । ରାଜଧାନୀରେ ରହୁଥିବା ଅନେକ ଚାକିରିଆ, ବ୍ୟବସାୟୀ ଶ୍ରେଣୀର ପରିବାର ଘରେ ତାଲା ପକାଇ ନିଜ ଗାଁକୁ ଯାଇଥିବା ବେଳେ ସପ୍ତାହେ, ମାସେ ପରେ ଦେଖନ୍ତି ତ ଘରେ ଚୋର କଳାକନା ବୁଲାଇ ଦେଇଛନ୍ତି । ଏପରିକି ଅନେକ ଲୋକ ୨-୩ ଘଣ୍ଟା ପାଇଁ ମାର୍କେଟ କରିବାକୁ ଯାଇଥିବା ବେଳେ ଆସିବା ବେଳକୁ ମଧ୍ୟ ଘରୁ ଲୁଟ୍ ହୋଇଯାଉଥିବା ଦେଖାଯାଉଛି ।

ତେବେ ସାଧାରଣ ଲୋକଙ୍କ ଘରୁ ଚୋରି ହେବା ଏକ ସାଧାରଣ କଥା ହୋଇଥିବା ବେଳେ ଏହା ମଧ୍ୟରେ ଜଣେ ରାଜନେତାଙ୍କ ଘରୁ ଚୋରମାନେ ଲୁଟ୍ କରିଛନ୍ତି । ଉତ୍ତରପ୍ରଦେଶରେ ବିଜେପିର ସହଯୋଗୀ ପାର୍ଟି ଅପନା ଦଳ (ଏସ)ର ବିଧାୟକ ବିନୟ ବର୍ମାଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରୁ ଚୋରମାନେ ଅନେକ ସାମଗ୍ରୀ ଚୋରି କରି ନେଇଛନ୍ତି । ଅଗଷ୍ଟ ୩୧ରେ ଏକ କାର୍ଯ୍ୟକ୍ରମ ପାଇଁ ବିଧାୟକ ଲକ୍ଷ୍ନୌକୁ ଯାଇଥିବା ବେଳେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବାସଭବନକୁ ପଠାଇଥିଲେ । ତେବେ ସେ ଆସି ଦେଖିବା ବେଳକୁ ବାସଭବନରୁ ଟ୍ୟାପ ସମେତ ଅନେକ ପ୍ଲମ୍ବିଂ ସାମଗ୍ରୀ ଚୋରି ହୋଇଥିବା ଜଣପାଡ଼ିଥିଲା । ଏନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବିଧାୟକଙ୍କ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଚୋରମାନେ କିଛି ସାମଗ୍ରୀ ଉପାଡ଼ି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.