fbpx

ଭାରତ ବିପକ୍ଷରେ ଏହି ଦଳ ଖେଳିବ ବିଶ୍ୱକପ ଫାଇନାଲ ମ୍ୟାଚ: ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଇପିଏଲ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଜୁନ ୭ ତାରିଖ ଇଂଲଣ୍ଡର ଓଭାଲରେ ଖେଳାଯିବ ଏହି ବିଶ୍ୱକପ ଫାଇନାଲ ମ୍ୟାଚ । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏଥିପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଦଳର ପ୍ରମୁଖ ୧୭ ଜଣ ଖେଳାଳିଙ୍କୁ ନେଇ ଭାରତକୁ ଭେଟିବ ଅଷ୍ଟ୍ରେଲିଆ ଟିମ୍ । ଏହି ଦଳରେ କମବ୍ୟାକ କରିଛନ୍ତି ଅଧିନାୟକ ପ୍ୟାଟ କମିନ୍ସ ଏବଂ ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଏହି ଦଳରେ ପୁଣିଥରେ ଅଧିନାୟକ ପ୍ୟାଟ କମିନ୍ସ ଏବଂ ଡାଭିଡ ୱାର୍ଣ୍ଣର ଫେରୁଥିବା ବେଳେ ଆହୁରି କିଛି ଖେଳାଳି ରିଟର୍ଣ୍ଣ କରିବାକୁ ଯାଉଛନ୍ତି । ମାର୍କସ ହାରିସ, ମ୍ୟାଟ ରେନସା ଏବଂ ଉସ୍ମାନ ଖ୍ୱାଜାଙ୍କ ଭଳି ଓପନର ଏହି ସ୍କ୍ୱାଡରେ ସାମିଲ ହୋଇଛନ୍ତି । ତେବେ ଆଘାତ ସମସ୍ୟା ସହିତ ଖରାପ ଫର୍ମ ଯୋଗୁଁ ୩୬ ବର୍ଷୀୟ ୱାର୍ଣ୍ଣରଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଦଳର ଚୟନ କମିଟି ପୁଣିଥରେ ତାଙ୍କୁ ସୁଯୋଗ ଦେଇଛନ୍ତି । ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ ୨୦୧୯ ପରେ ପ୍ରଥମ ଥର ପାଇଁ ଟେଷ୍ଟ ଟିମକୁ କମବ୍ୟାକ କରିଛନ୍ତି । ସେହିପରି ଜୋସ୍ ଇଂଲିଶଙ୍କୁ ଆଲେକ୍ସ କ୍ୟାରୀଙ୍କ ବ୍ୟାକ୍ ଅପ୍ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି ।

ଦଳରେ ୪ ଅଭିଜ୍ଞ ପେସ ବୋଲର ଭାବେ ମିଚେଲ ଷ୍ଟାର୍କ, ଜୋସ ହେଜଲଉଡ, ସ୍କଟ ବୋଲାଣ୍ଡ ଏବଂ ପ୍ୟାଟ କମିନ୍ସଙ୍କୁ ସ୍ଥାନ ଦିଆଯାଇଛି । ତେବେ ଭାରତ ବିପକ୍ଷରେ ଦଳରେ ଥିବା ପିଟର ହ୍ୟାଣ୍ଡସକମ୍ବ, ଏଷ୍ଟନ ଏଗର, ମିଚେଲ ସ୍ୱେପସନ ଏବଂ ମ୍ୟାଟ କୁହ୍ମମେନ ଦଳରୁ ବାଦ୍ ପଡିଛନ୍ତି । କିନ୍ତୁ ଫାଇନାଲ ପାଇଁ ଅଷ୍ଟ୍ରେଲିଆ ୧୭ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ଆଇସିସିର ନିୟମ ଅନୁସାରେ ମାତ୍ର ୧୫ ଜଣ ଶେଷ ତାଲିକାରେ ସ୍ଥାନ ପାଇପାରିବେ ।

Get real time updates directly on you device, subscribe now.