ଇସଲାମାବାଦ,୨ା୬: ପାକିସ୍ତାନ ତାର କୃତକର୍ମର ଦଣ୍ଡ ପାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ଏପରି ପରିସ୍ଥିତିରେ, ପାକିସ୍ତାନ ପାଣି ପାଇଁ ଆକୁଳ ହେଉଛି। ପ୍ରକୃତରେ ପାକିସ୍ତାନରେ ଖରିଫ ଫସଲ (ଚାଉଳ, ମକା, ଜୁଆର, ବାଜରା, ସୋୟାବିନ୍, ମୁଗ, ବୁଣା ଗୁରୁତର ସମସ୍ୟାରେ ପଡ଼ିଛି। କାରଣ ସେଠାରେ ପାଣିର ଏକ ବଡ଼ ଅଭାବ ରହିଛି। ଏହାର ଦୁଇଟି ପ୍ରମୁଖ କାରଣ ଅଛି। ପ୍ରଥମତଃ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଚେନାବ ନଦୀର ପାଣି ହ୍ରାସ କରିଛି। ଦ୍ୱିତୀୟତଃ, ପାକିସ୍ତାନର ଦୁଇଟି ବଡ଼ ଡ୍ୟାମ୍, ମଙ୍ଗଳା ଏବଂ ତରବେଲାରେ ଜଳସ୍ତର ବହୁତ କମ୍ ଅଛି। ମଙ୍ଗଳା ଡ୍ୟାମ୍ ଝେଲମ୍ ନଦୀ ଉପରେ ଥିବା ବେଳେ ତରବେଲା ଡ୍ୟାମ୍ ସିନ୍ଧୁ ନଦୀ ଉପରେ ଅଛି। ଏହା ପାକିସ୍ତାନର କୃଷି ଏବଂ ବିଦ୍ୟୁତ୍ ଉତ୍ପାଦନ ଉପରେ ଖରାପ ପ୍ରଭାବ ପକାଉଛି।
ପାକିସ୍ତାନର ସିନ୍ଧୁ ନଦୀ ପ୍ରଣାଳୀ ପ୍ରାଧିକରଣ (IRSA) କହିଛି ଯେ, ଦେଶରେ ମୋଟ ପାଣିର ଅଭାବ ୨୧%। ମଙ୍ଗଳା ଡ୍ୟାମରେ ୫୦% ରୁ କମ୍ ପାଣି ବାକି ଅଛି। ଅର୍ଥାତ୍ ମୋଟ ୫.୯ ନିୟୁତ ଏକର ଫୁଟ ମଧ୍ୟରୁ କେବଳ ୨.୭ ନିୟୁତ ଏକର ଫୁଟ। ସେହି ସମୟରେ, ତରବେଲା ଡ୍ୟାମରେ ୫୦% ରୁ ଟିକିଏ ଅଧିକ ପାଣି ଅଛି। ଅର୍ଥାତ୍, ମୋଟ ୧୧.୬ ନିୟୁତ ଏକର ଫୁଟରୁ ୬ ନିୟୁତ ଏକର ଫୁଟ ପାଣି ଛଡ଼ା ଯାଇଛି। ଚେନାବ ନଦୀରେ ଭାରତ ଦ୍ୱାରା ଜଳ ଯୋଗାଣ ହ୍ରାସ କରିବା ଦ୍ୱାରା ଖରିଫ ଫସଲର ପ୍ରାରମ୍ଭିକ ବୁଣାରେ ଆହୁରି ଅସୁବିଧା ହେବ। ଓଜଝଇ ଡ୍ୟାମ ଏବଂ ଜଳସେଚନ ଅଧିକାରୀମାନଙ୍କୁ ପାଣିକୁ ଅତି ବିବେଚନା ସହିତ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
ଭାରତ ଜମ୍ମୁ ଏବଂ କାଶ୍ମୀରରେ ଚେନାବ ନଦୀରେ ଥିବା ଏହାର ଡ୍ୟାମ ବାଗଲିହାର ଏବଂ ସଲାଲରେ ପାଣିକୁ ନିୟନ୍ତ୍ରଣ କରିଛି। ଭାରତ ଏହି ଡ୍ୟାମଗୁଡ଼ିକୁ ସଫା କରିଛି, କାଦୁଅ ବାହାର କରିଛି ଏବଂ ଅତିରିକ୍ତ ପାଣି ସଂରକ୍ଷଣ କରିବା ପାଇଁ ସ୍ଥାନ ସୃଷ୍ଟି କରିଛି। ଏହା ସହିତ, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ପରେ ଭାରତ ପାକିସ୍ତାନ ସହିତ ଜଳ ତଥ୍ୟ ବାଣ୍ଟିବା ବନ୍ଦ କରିଦେଇଛି। ଏହା ପାକିସ୍ତାନ ପାଇଁ ଜଳ ପରିମାଣ ଆକଳନ କରିବା କଷ୍ଟକର କରିଦେଇଛି। ବିଶେଷକରି ମୌସୁମୀ ସମୟରେ ଯେତେବେଳେ ବନ୍ୟାର ଆଶଙ୍କା ବଢ଼ିପାରେ।
ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ପ୍ରଦେଶଗୁଡ଼ିକରେ କୃଷି ସମ୍ପୂର୍ଣ୍ଣ ଭାବରେ ସିନ୍ଧୁ ନଦୀ ଉପରେ ନିର୍ଭରଶୀଳ। ଏଥିରେ ଝେଲମ୍ ଏବଂ ଚେନାବ୍ ନଦୀ ମଧ୍ୟ ଅନ୍ତର୍ଭୁକ୍ତ। ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ, ପୂର୍ବ ନଦୀ ରବି, ସତଲେଜ୍ ଏବଂ ବ୍ୟାସ୍ ଉପରେ ଭାରତର ପୂର୍ଣ୍ଣ ଅଧିକାର ଅଛି। କିନ୍ତୁ ଭାରତ ପାଖରେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ବ୍ୟବହାର କରିବାର ସୁବିଧା ନାହିଁ। ଏହି କାରଣରୁ, ପାକିସ୍ତାନ ଅତିରିକ୍ତ ପାଣି ପାଉଛି। ଚୁକ୍ତିନାମା ଅନୁଯାୟୀ, ଭାରତ ପଶ୍ଚିମ ନଦୀଗୁଡ଼ିକରେ ୩.୬ନିୟୁତ ଏକର ଫୁଟ ପାଣି ସଂରକ୍ଷଣ କରିପାରିବ। କିନ୍ତୁ ଭାରତ ଏହାକୁ ସମ୍ପୂର୍ଣ୍ଣ ବ୍ୟବହାର କରିପାରିଲା ନାହିଁ। ପାକିସ୍ତାନ ଏହାର ଲାଭ ପାଇଲା।
ସମ୍ପ୍ରତି ପାକିସ୍ତାନ ଦାବି କରିଥିଲା ଯେ ଚେନାବ୍ ନଦୀର ପାଣି ଦୁଇ ଦିନରେ ୯୧,୦୦୦ କ୍ୟୁସେକ୍ ହ୍ରାସ ପାଇଛି। ପାକିସ୍ତାନର ଜଳ ଏବଂ ବିଦ୍ୟୁତ୍ ବିକାଶ ପ୍ରାଧିକରଣ (ଡଇଚଊଇ) ଅନୁଯାୟୀ, ମଇ ୨୯ ତାରିଖରେ ମରାଲା ହେଡୱାର୍କସ୍ ଠାରେ ଚେନାବ୍ ନଦୀର ଜଳସ୍ତର ୯୮,୨୦୦ କ୍ୟୁସେକ୍ ଥିଲା। ଜୁନ୍ ୧ରେ ଏହା ମାତ୍ର ୭,୨୦୦ କ୍ୟୁସେକ୍ କୁ ହ୍ରାସ ପାଇଛି। ଚେନାବ୍ ନଦୀ ପାକିସ୍ତାନର ପଞ୍ଜାବ ପ୍ରଦେଶ ଦେଇ ପ୍ରବାହିତ ହୁଏ।