fbpx

କଂଗ୍ରେସକୁ ଭୋଟ୍ ଦେଲେ ବିଜେପି ଜିତି ଯାଉଛି, ଏଥର ଆପକୁ ଦେବୁ: ମତଦାତା

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ସମସ୍ତ ରାଜନୈତିକ ଦଳ ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଅହମ୍ମଦାବାଦର ନରୋଦା ବିଧାନସଭା କ୍ଷେତ୍ର ବିଜେପିର ଗଡ ରହି ଆସିଛି। ଗତ ସପ୍ତାହରେ କ୍ଷମତାଧାରୀ ଦଳ ବିଜେପି ନରୋଦା ପାଟିଆ ଦଙ୍ଗା ମାମଲାରେ ଜଣେ ଦୋଷୀଙ୍କ ଝିଅକୁ ପ୍ରାର୍ଥୀ କରିଛି। ଏହାକୁ ନେଇ ଏବେ ଚର୍ଚ୍ଚା ନରୋଦା ନିର୍ବାଚନୀ ମଣ୍ଡଳୀ।

ଗୁଜରାଟ ଦଙ୍ଗା ସମୟରେ ନରୋଦାରେ ୧୦୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଯେଉଁଥିରେ ଅଧିକାଂଶ ମୁସଲମାନ ଥିଲେ। ନରୋଦା ଗାମ ମାମଲାରେ ମୋକଦ୍ଦମା ଏବେ ବି ଚାଲିଛି। ଦଙ୍ଗା ସମୟରେ ଏଠାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀଙ୍କ ନାମ। ସେ ୨୦୦୨ରେ ନରୋଦାର ବିଧାୟକ ଥିଲେ। ନରୋନା ପାଟିଆ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ଏବେ ସଂଖ୍ୟାଲଘୁ ସମୁଦାୟର ଲୋକ ନଜରରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ ପାୟଲ କୁକରାନୀଙ୍କ ଅପେକ୍ଷା ଅଧିକ ପସନ୍ଦ କରାଯାଉଛି। ପାୟଲ କୁକରାନୀଙ୍କ ବାପା ମନୋଜ କୁକରାନୀ ନରୋଦା ମାମଲାରେ ୨୦୧୨ରେ ସ୍ଵତନ୍ତ୍ର ଅଦାଲତ ଦ୍ଵାରା ଦୋଷୀ ସାବ୍ୟସ୍ତ ୩୨ ଲୋକଙ୍କ ମଧ୍ୟରୁ ଜଣେ। ସେ ବର୍ତ୍ତମାନ ଜାମିନରେ ବାହାରେ ଅଛନ୍ତି। ଏଠାରେ ଆପ୍ ବାରାଣସୀ ନିବାସୀ ଓମପ୍ରକାଶ ତିଓ୍ଵାରୀଙ୍କୁ ପ୍ରାର୍ଥୀ କରିଛି।

ଏଠାକାର ଅନେକ ମତଦାତାଙ୍କ ମତରେ ଆମେ କଂଗ୍ରେସକୁ ସବୁ ଥର ଭୋଟ୍ ଦେଉଛୁ, ମାତ୍ର ବିଜେପି ସର୍ବଦା ଜିତି ଆସୁଛି। ଏଥର ବିଶ୍ଵାସ କରି ପାରୁନୁ କାହାକୁ ଭୋଟ୍ ଦେବୁ? ଦରବୃଦ୍ଧି ବଢି ଚାଲିଛି। ଏହା କମିବାର ନାଁ ନେଉନି। ଆମ୍ ଆଦମୀ ପାର୍ଟି ହିଁ ଏହା ଉପରେ ଆଲୋଚନା କରୁଛି। ଆମେ ତାଙ୍କୁ ଏଥର ଭୋଟ୍ ଦେଇପାରୁ। ଏବେ ଆମକୁ ଦଙ୍ଗା ବିଷୟରେ ଆଲୋଚନା କରିବାର କୌଣସି ଅର୍ଥ ହିଁ ନାହିଁ। ଆମେ ସର୍ବଦା ଏହି ଅଞ୍ଚଳରେ ଭୟରେ ରହି ଆସିଛୁ ଏବଂ ଏବେ ବି ଡରୁଛୁ ବୋଲି ନରୋନା ପାଟିଆ ଅଞ୍ଚଳର ଭୋଟର କହିଛନ୍ତି।

Get real time updates directly on you device, subscribe now.