ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (DDCA) କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଦିଲ୍ଲୀ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଚିଠିରେ DDCA ର ବରିଷ୍ଠ ଅଧିକାରୀମାନଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳୁଛି, ଯେଉଁଥିରେ ସଂଘର କାର୍ଯ୍ୟକଳାପ ବନ୍ଦ କରିବାକୁ ଧମକ ଦିଆଯାଇଛି।
ସୂତ୍ରରୁ ପ୍ରକାଶ ଯେ, ଏହି ଚିଠି ଗତ ସପ୍ତାହରେ DDCA ର ଅଫିସ୍ ଠିକଣାରେ ପହଞ୍ଚିଥିଲା। ଚିଠିରେ କିଛି ଅଜଣା ବ୍ୟକ୍ତି ବା ଗୋଷ୍ଠୀ ଦ୍ୱାରା ସଂଘର କାର୍ଯ୍ୟକୁ ବାଧା ସୃଷ୍ଟି କରିବା ସହ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ଦିଆଯାଇଛି। DDCA ଅଧ୍ୟକ୍ଷ ରୋହନ ଜେଟଲୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ପୋଲିସ ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।
ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ଏହି ଧମକପୂର୍ଣ୍ଣ ଚିଠିର ତଦନ୍ତ କରୁଛୁ। ଚିଠିର ଉତ୍ସ ଏବଂ ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପାଇଁ ଆମେ ସମସ୍ତ ଦିଗକୁ ଅନୁସନ୍ଧାନ କରୁଛୁ।” ଏହା ସହ, DDCA ଅଫିସ ଏବଂ ଅରୁଣ ଜେଟଲୀ ଷ୍ଟାଡିୟମ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।