fbpx

ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା: ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଜି ସଂସଦରେ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଜନସାଧାରଣଙ୍କ ମଧ୍ୟରେ ଅନେକ ଆଶା ସୃଷ୍ଟି କରିବାକୁ ପ୍ରୟାସ କରିବେ । ଅନ୍ତରୀଣ ବଜେଟକୁ ‘ଭୋଟ-ଅନ-ଆକାଉଣ୍ଟ’ ବୋଲି କୁହାଯାଇଥାଏ । ଅଧିକାଂଶ ସମୟରେ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଏହି ବଜେଟ ଆଗତ କରାଯାଇଥାଏ ।

ତେବେ ଆଜି ନିଜ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ମୋଦୀ ସରକାରଙ୍କ ଅନେକ ଜନହିତକର ଯୋଜନା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ କିଛି ବଡ଼ ଘୋଷଣା କରିଛନ୍ତି । ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳା ଲକ୍ଷପତି ଦିଦି ହୋଇଛନ୍ତି । ‘ଲକ୍ଷପତି ଦିଦି’ ଯୋଜନା ମାଧ୍ୟମରେ ମହିଳାମାନେ ଉପକୃତ ହେବେ । ଏହି ଯୋଜନାରେ ୨ କୋଟି ମହିଳାଙ୍କୁ ସହାୟତା ପ୍ରଦାନ ନେଇ ପ୍ରଥମେ ସ୍ଥିର ହୋଇଥିବା ବେଳେ ଏବେ ତାହା ୩ କୋଟିକୁ ବୃଦ୍ଧି କରାଯାଇଛି ।

ଏଥିସହିତ ଦେଶର ୪୦ ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ କୋଚରେ ପରିବର୍ତ୍ତନ କରାଯିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାତ୍ରୀଙ୍କୁ ସୁରକ୍ଷା, ସୁବିଧା ଓ ଆରାମ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସାଧାରଣ ବଗିଗୁଡ଼ିକୁ ବନ୍ଦେ ଭାରତ ଶୈଳୀରେ ପରିବର୍ତ୍ତିତ କରାଯିବା ଫଳରେ ଯାତ୍ରୀମାନେ ବହୁ ସୁବିଧା ପାଇବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୩ ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆଗକୁ ଦେଶରେ ଯେଉଁ ସରକାର ଶାସନ କରିବ ସେହି ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣ ବଜେଟ୍ ଆଗତ କରିବ । ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ପୂର୍ଣ୍ଣ ବଜେଟ ଆଗତ ହୁଏ ନାହିଁ । ଏହା ଦେଶରେ ପୂର୍ବରୁ ପରମ୍ପରା ରହିଆସିଛି । ନୂଆ ସରକାର ନିଜର ପୂର୍ଣ୍ଣ ବଜେଟ ଆଗତ କରିବା ପୂର୍ବରୁ ସରକାରୀ ଖର୍ଚ୍ଚକୁ କଭର କରିବା ପାଇଁ ଏକ ଅନ୍ତରୀଣ ବଜେଟ ଆଗତ କରାଯାଇଥାଏ ।

Get real time updates directly on you device, subscribe now.