fbpx

ଆଗକୁ ଆସୁଛି ରାଜ୍ୟସଭା ନିର୍ବାଚନ: କାହା ମୁଣ୍ଡରେ ସୁନା କଳସ ଢାଳିବେ ବିଜେଡି ସୁପ୍ରିମୋ, ଆରମ୍ଭ ହେଲାଣି ଅଙ୍କକଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଗକୁ ହେବାକୁ ଥିବା ୫ଟି ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ନିର୍ବାଚନ ହେବା ନେଇ ଏକପ୍ରକାର ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏହା ମଧ୍ୟରେ ରାଜ୍ୟରେ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଆସନ୍ତା ଜୁଲାଇ ମାସ ପହିଲାରେ ଓଡ଼ିଶାର ୩ ଜଣ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବା ନେଇ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ଏକ ବୁଲେଟିନ୍ ପ୍ରକାଶ ପାଇଛି । ସେଥିରେ ଦେଶର ମୋଟ ୭୭ ଜଣ ସାଂସଦଙ୍କ ମଧ୍ୟରେ ଓଡ଼ିଶାର ୩ ଜଣଙ୍କ ନାମ ସୂଚିତ ହୋଇଛି । ତେଣୁ ରାଜ୍ୟସଭା ପକ୍ଷରୁ ଏହି ସୂଚନା ମିଳିବା ପରେ କାହାକୁ ରାଜ୍ୟସଭା ପଠାଯିବ ନେସେଇ ଶାସକ ବିଜେଡିରେ ଏବେ କସରତ ଆରମ୍ଭ ହୋଇଯାଇଛି ।

ରାଜ୍ୟରୁ ପ୍ରସନ୍ନ ଆଚାର୍ଯ୍ୟ, ଡ. ସସ୍ମିତ ପାତ୍ର ଓ ଏନ. ଭାସ୍କର ରାଓଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ରେ ସରିବାକୁ ଯାଉଛି । ତେଣୁ ଏନେଇ ରାଜନୀତି ପାଣିପାଗ ସରଗରମ ହୋଇଉଠିବା ସହ ନିର୍ବାଚନ ଆସନ୍ତା ଜୁନ ମାସରେ ହୋଇପାରେ ବୋଲି କୁହାଯାଉଛି । ତେବେ ରାଜନୈତିକ ଗଣିତ ଅନୁସାରେ ଶାସକ ଦଳ ପାଖରେ ୧୧୩ ଜଣ ସଦସ୍ୟ ଥିବାରୁ ବିରୋଧୀ ପାଖକୁ କୌଣସି ସିଟ୍ ଯିବାର ସମ୍ଭାବନା ନାହିଁ । ଅନ୍ୟ ଦଳ ମଧ୍ୟରେ ବିଜେପିର ୨୨ ଜଣ, କଂଗ୍ରେସର ୯ ଜଣ, ଜଣେ ସ୍ୱାଧୀନ, ଜଣେ ବାମଦଳର ସଦସ୍ୟ ରହିଥିବା ବେଳେ ବ୍ରଜରାଜନଗର ଆସନଟି ଖାଲି ରହିଛି । ତେବେ ଅନେକ ଟାଣୁଆ ରାଜନେତା ଗତ ନିର୍ବାଚନରେ ପରାଜୟ ବରଣ କରିଥିବାରୁ ସେମାନେ ଏବେ ରାଜ୍ୟସଭା ପାଇଁ ଆଶାବାଦୀ ରହିଛନ୍ତି । ଆଗକୁ ପଶ୍ଚିମ ଓଡ଼ିଶାର ବ୍ରଜରାଜନଗର ବିଧାନସଭା ପାଇଁ ଭୋଟ ହେବ । ତେଣୁ ପ୍ରସନ୍ନଙ୍କ କ୍ଷେତ୍ରରେ ବିଜେଡିର କ’ଣ ଗଣିତ ରହିବ ତାହା କହିବା ମୁସ୍କିଲ । ସେହିପରି ନିକଟରେ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବାରୁ ଦଳ ତାଙ୍କୁ କିଛି ନୂଆ ଦାୟିତ୍ୱ ଦେଇପାରେ । ରାଜ୍ୟସଭାରେ ବିଜେଡିର ବର୍ତ୍ତମାନ ୯ ଜଣ ସାଂସଦ ରହିଛନ୍ତି । ଏହାଛଡ଼ା ବିଜେଡି ସମର୍ଥନରେ ବିଜେପିରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ତେବେ କେନ୍ଦ୍ରରେ ବିଜେପି ସହ ଲଢ଼େଇ ନେଇ କଂଗ୍ରେସ, ଟିଏମସି ଲାଗି ପଡ଼ିଥିବା ବେଳେ ବିଜେଡି ମଧ୍ୟ ନିଜର ସେଣ୍ଟ୍ରାଲ ପାୱାରକୁ ଶକ୍ତିଶାଳୀ କରିବାକୁ ହେଭିୱେଟଙ୍କୁ ନିଶ୍ଚିତ ଭାବେ ଦିଲ୍ଲୀ ପଠାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.