fbpx

ଓଡ଼ିଶାରେ ଆରମ୍ଭ ହେବ ବାଘ ଓ ହାତୀ ଗଣନା: ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେନ୍ଦ୍ର ଉପରେ ନିର୍ଭର କରାଯିବ ନାହିଁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ୪ର୍ଥ ବର୍ଷ ପୂରଣ ହେବ । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ କାର୍ଡ ମାଗିଥିଲେ ମୁଖ୍ୟମନ୍ତ୍ରୀ । ଗତ ୨୨ ତାରିଖରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସମୀକ୍ଷା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଜଙ୍ଗଲ ଓ ପରିବେଶ ବିଭାଗର ୪ ବର୍ଷର କାର୍ଯ୍ୟ ସମୀକ୍ଷା କରାଯିବା ପରେ ବିଭାଗୀ ମନ୍ତ୍ରୀ ଏନେଇ ତଥ୍ୟ ରଖିଥିଲେ ।

ମନ୍ତ୍ରୀ କହିଥିଲେ, ରାଜ୍ୟରେ ୪୯ଟି ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯାଇ କାର୍ଯ୍ୟକ୍ଷମ କରଯାଇଛି । ଏଥିସହିତ ଆଗକୁ ୬ଟି ନୂଆ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୬୫୦ ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ରୋଜଗାର ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୩ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ୨ଟି ରାଜ୍ୟର ପାଖାପାଖି ୮.୧୫ ଲକ୍ଷ କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୋଟ ୧୯୪ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶୀଳ ହେବେ ନାହିଁ । ଏଣିକି ରାଜ୍ୟ ସରକାର ନିଜ ପ୍ରୟାସରେ ବାଘ ଓ ହାତୀ ଗଣନା ଆରମ୍ଭ କରିବେ । ନିଜ ଖର୍ଚ୍ଚରେ ରାଜ୍ୟର ଜଙ୍ଗଲରେ ରହୁଥିବା ବାଘ ଓ ହାତୀ ଗଣନା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହିତ କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ନେଉଥିବା ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ହାଲୁକା କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ‘ପାଣ୍ଠି’ ନାମରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ୨୬୫ଟି ଜଙ୍ଗଲ ବ୍ଲକର ପୁନଃ ବିଜ୍ଞପ୍ତି କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇଥିବା ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.