ସ୍ପଷ୍ଟ କଲେ ଭାରତ ସରକାର, TikTok ଆପ୍ ପାଇଁ ଭାରତର କବାଟ ବନ୍ଦ

ଭାରତକୁ TikTok ଫେରିବାର ଚାନ୍ସ ନାହିଁ।

ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଆଲୋଚନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସ୍ପଷ୍ଟ କଲେ ଭାରତ ସରକାର। ଗତକାଲି ଅର୍ଥାତ୍ ଅଗଷ୍ଟ ୨୨ ତାରିଖରେ ଯେଉଁଭଳି ଭାବରେ TikTok ଭାରତ ଫେରିବା ଖବର ସୋସିଆଲ ମିଡିଆରେ ଛାଇ ଯାଇଥିଲା। ତା ଉପରେ ସ୍ପଷ୍ଟୋକ୍ତି ରଖିଛନ୍ତି ସରକାର।

ଭାରତ ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ଚୀନର ଲୋକପ୍ରିୟ ଆପ୍ TikTok କୁ ଆଉ ଥରେ ଭାରତ ଫେରିବାକୁ ଅନୁମତି ଦିଆଯିବ ନାହିଁ।

ପ୍ରକୃତରେ କିଛି ସମୟ ଧରି ସୋସିଆଲ ମିଡିଆରେ ରିପୋର୍ଟ ଆସୁଥିଲା ଯେ TikTok ଭାରତକୁ ପୁଣିଥରେ ଫେରିଛି। କାରଣ କିଛି ୟୁଜର ଦାବି କରିଥିଲେ ଯେ ସେମାନଙ୍କ ଆକାଉଣ୍ଟ ଓପନ୍ ହେଉଛି, କିନ୍ତୁ ଏବେ ସରକାରଙ୍କ ବିବୃତ୍ତି ନିଶ୍ଚିତ କରିଛି ଯେ ଏହି ଆପ୍ ପାଇଁ ଭାରତର ଦ୍ୱାର ବନ୍ଦ ରହିବ।

ଭାରତରେ TikTok ୟୁଜରଙ୍କ ସଂଖ୍ୟା: ଭାରତରେ TikTok ବ୍ୟାନ୍ ହେବା ପୂର୍ବରୁ, ଏହାର ଏକ ବିଶାଳ ୟୁଜର ନେଟଓ୍ୱାର୍କ ଥିଲା। ରିପୋର୍ଟ ଅନୁଯାୟୀ, ଭାରତରେ TikTokର ୨୦୦ ନିୟୁତରୁ ଅଧିକ ସକ୍ରିୟ ୟୁଜର ଥିଲେ।

ସାରା ବିଶ୍ୱରେ TikTokର ଅଧିକାଂଶ ଡାଉନଲୋଡ୍ ଭାରତରୁ ଆସିଥିଲା। ୨୦୨୦ ରେ ପ୍ରତିବନ୍ଧକ ଲାଗିବା ପୂର୍ବରୁ ଭାରତ TikTok ପାଇଁ ସବୁଠାରୁ ବଡ଼ ଇନକମ୍ ସୋର୍ସ ଥିଲା।

ଭାରତରେ TikTokର ଲୋକପ୍ରିୟତା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ ଜାତୀୟ ସୁରକ୍ଷା ଏବଂ ଡାଟା ଗୋପନୀୟତାକୁ ଧ୍ୟାନରେ ରଖି ସରକାର ଏହାକୁ ବନ୍ଦ କରିଥିଲେ।

କାହିଁକି TikTok ଉପରେ ପ୍ରତିବନ୍ଧକ: ଜୁନ୍ ୨୦୨୦ରେ ଭାରତ ସରକାର ଟିକଟଟ୍ ସମେତ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଦେଶର ସୁରକ୍ଷା ଏବଂ ଗୋପନୀୟତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ସରକାରଙ୍କ ଅନୁଯାୟୀ, ଏହି ଆପ୍ ଗୁଡ଼ିକ ଭାରତୀୟ ୟୁଜରଙ୍କ ତଥ୍ୟ ଦେଶ ବାହାରର ସର୍ଭରକୁ ପଠାଉଥିଲେ। ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ।

TikTokର ଫେରିବା ଖବର କିପରି ବ୍ୟାପିଲା: ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ଗୁଜବ ଚାଲିଛି ଯେ ଏକ ଭାରତୀୟ କମ୍ପାନୀ ସହିତ ସହଭାଗୀତା କରି ଭାରତରେ TikTok ପୁନଃ ଲଞ୍ଚ ହୋଇପାରେ।

କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଆପ୍‌ର ଡେଭଲପର ByteDance ପୁନରାଗମନ ଯୋଜନା କରିଛି। କିନ୍ତୁ ଏବେ ସରକାର ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିଛନ୍ତି ଯେ TikTok ର ପୁନରାଗମନ ସମ୍ଭବ ନୁହେଁ।

ଏହି ଆପଗୁଡ଼ିକ TikTok କୁ ବଦଳାଇଦେଲା: TikTok ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଭାରତରେ ଅନେକ ଭାରତୀୟ ସର୍ଟ ଭିଡିଓ ପ୍ଲାଟଫର୍ମ ବହୁତ ଲୋକପ୍ରିୟ ହୋଇଗଲା।

ଏଥିରେ Moj, Josh, Chingari ଏବଂ Roposo ଅନ୍ତର୍ଭୁକ୍ତ। ଏହି ଆପ୍ ୟୁଜରମାନଙ୍କୁ TikTok ପରି ଅଭିଜ୍ଞତା ଦେଇଥିଲା ଏବଂ ଲକ୍ଷ ଲକ୍ଷ ଲୋକ ଏଥିରେ ଯୋଡ଼ି ହୋଇଥିଲେ।