fbpx

ଆଜି ତ୍ୟାଗ ଓ ବଳିଦାନର ପର୍ବ ‘ଇଦ୍‌-ଉଲ୍‌-ଜୁହା’, ମୁସଲମାନ ସମ୍ପ୍ରଦାୟ ପାଇଁ ପବିତ୍ର ଦିନ

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଆଜି ଇସଲାମ ଧର୍ମର ମହାନ ପବିତ୍ର ପର୍ବ ‘ଇଦ୍-ଉଲ୍-ଜୁହା’(ବକ୍ରୀଇଦ)। ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱରଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍‌ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି।

ରମ୍‌ଜାନ୍‌ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକ୍ରୀଇଦ୍ ପାଳନ କରାଯାଏ । ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି । ଏଥିପାଇଁ ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ଲୁଗା ପିନ୍ଧି ମସ୍‌ଜିଦ୍‌ରେ ପହଞ୍ଚିଛନ୍ତି । ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଉଛନ୍ତି । ଇଦ୍‌ ପାଇଁ ଘରେ ଘରେ ମଧ୍ୟ ଜୋରଦାର ପ୍ରସ୍ତୁତି । ଲାଗିଛି ବନ୍ଧୁବାନ୍ଧବଙ୍କ ଗହଳି । ତିଆରି ଚାଲିଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ । ଲାଛା, ସର୍ବତ, ବିରିୟାନୀ ଓ ହାଲୱାରେ ମହକୁଛି ପରିବେଶ । ଏହି ଦିନକୁ ସମସ୍ତେ ବେଶ୍‌ ଆନନ୍ଦର ସହ ପାଳନ କରୁଛନ୍ତି ।

ଓଡିଶା ସମେତ ଦେଶର ଏକାଧିକ ରାଜ୍ୟରେ ପବିତ୍ର ‘ଇଦ୍-ଉଲ୍-ଜୁହା’ପର୍ବ ପାଳନ ହେଉଛି । ମୁସଲିମ ସମ୍ପ୍ରଦାୟଙ୍କ ଏହି ମହାନ ପର୍ବ ପାଇଁ ଅଧିକ ଉତ୍ସାହ ଦେଖାଦେଇଛି । କିନ୍ତୁ କରୋନା କଟକଣା ଓ ଲକଡାଉନ ଯୋଗୁଁ ପର୍ବର ମାହୋଲ ପୁରା ଫିକା ପଡିଛି । କଟକଣା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସଜିଦ ପ୍ରବେଶ ବାରଣ ରହିଛି । ମସଜିଦରେ ସମୂହ ନମାଜପାଠ ବାରଣ ହୋଇଥିବା ବେଳେ ଲୋକମାନେ ନିଜ ଘରେ ଇଦ୍ ପାଳନ କରୁଛନ୍ତି । କିଛି ନିର୍ଦ୍ଦିଷ୍ଟ ଶ୍ରଦ୍ଧାଳୁଙ୍କୁ ନେଇ ମସଜିଦରେ କେବଳ ନମାଜ ପାଠ ହେଉଛି ।

Get real time updates directly on you device, subscribe now.