fbpx

ଆଜି ଭାରତ ବନ୍ଦ, ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ

କଂଗ୍ରେସ ସହ ୭ ଦଳ, ଶ୍ରମିକ ସଂଗଠନର ସମର୍ଥନ

Advertisement

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ଏହି ଭାରତ ବନ୍ଦ ପାଳନ ହେବ ବୋଲି ଚାଷୀ ସଙ୍ଗଠନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି । ଚାଷୀ ସଙ୍ଗଠନଗୁଡ଼ିକର ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଏଏପି, ବାମ ଦଳ, ଆର୍‌ଜେଡ଼ି ଓ ତେଲୁଗୁ ଦେଶମ ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନ ସମର୍ଥନ କରୁଥିବାରୁ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରେ ।

ଭାରତ ବନ୍ଦ ସମୟରେ ସରକାରୀ ଓ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଶିଳ୍ପ କାରଖାନା, ଦୋକାନ ବଜାର ଆଦି ବନ୍ଦ ରହିବା ସହ ସାରା ଦେଶରେ ଗାଡ଼ି ମୋଟର ଚଳାଚଳ ବନ୍ଦ କରାଯାଇ ଚକାଜାମ୍‌ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ । ହସ୍ପିଟାଲ, ଔଷଧ ଦୋକାନ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ କେହି ବି ବାଧା ଦେବନି । ଜରୁରୀ କାମରେ ନିୟୋଜିତ ଲୋକଙ୍କୁ ମଧ୍ୟ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେ । ଭାରତ ବନ୍ଦ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ମୋର୍ଚ୍ଚା କହିଛି । ଆମ୍ବୁଲାନ୍ସ ସେବା ପୂୂର୍ବଭଳି ଜାରି ରହିବ ।

ଅନ୍ୟପଟେ ଭାରତ ବନ୍ଦକୁ ଆଖି ଆଗରେ ରଖି ଆଇନଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲା ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରିତିକର ପରିସ୍ଥିତି ଏଡ଼ାଇବା ପାଇଁ ସତର୍କ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ଅଫିସ୍‌ ଟାଇମ୍‌ର ବହୁ ପୂର୍ବରୁ ଅଫିସ୍‌ ଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱର ଓ କଟକରେ ଏହି ବନ୍ଦ ପାଳନର ବିଶେଷ ପ୍ରଭାବ ପଡ଼ିପାରେ । ବିଶେଷକରି ସିିଆଇ କର୍ମକର୍ତ୍ତାମାନଙ୍କ ଦ୍ୱାରା ଭୁବନେଶ୍ୱରରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନଗୁଡ଼ିକରେ ପିକେଟିଂ ଓ ରାସ୍ତାରୋକ୍‌ ହେବାର ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ମଧ୍ୟ ସହରରେ ମୋଟର ବାଇକ ରାଲି ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱରରେ ବନ୍ଦ ପାଳନର ପ୍ରଭାବ ତେଣୁ ଭାରତ ବନ୍ଦ ସମୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ସତର୍କ ରହିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ତାକୁ ଆଗୁଆ ଏଡ଼ାଇବାକୁ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ କିଷାନ ୟୁନିୟନର ମିଡିଆ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି ସାରା ଦେଶରେ ଏହାକୁ ସଫଳ କରିବାକୁ ଚାଷୀଭାଇମାନେ ପ୍ରୟାସ କରିବେ । ଦିଲ୍ଲୀ ସୀମାରେ ଚାଷୀମାନେ ଧାରଣା ଦେବେ । ଗାଜିୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆସନ୍ତାକାଲି ରାସ୍ତାରୋକ କରିବା ସହିତ ଟ୍ରାଫିକ୍‌ ଜାମ୍‌ କରିବେ ବୋଲି ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜି ଦରବୃଦ୍ଧିକୁ ବିରୋଧ, ଶ୍ରମ ନୀତିକୁ ବିରୋଧ ସହ ସ୍ୱାମୀନାଥନ କମିଶନ ସୁପାରିଶକୁ ଲାଗୁ କରିବା ଏବଂ କୃଷି ବିଲକୁ ଫେରସ୍ତ ଦାବିରେ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦରେ ବିଭିନ୍ନ ଓକିଲ ସଂଘ, ଶ୍ରମିକ ସଂଘ ଓ ଛାତ୍ର ସଂଘ ସାମିଲ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.