fbpx

ଆଜି ଚିତଉ ଅମାବାସ୍ୟା: ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

Advertisement

ପୁରୀ: ଚିତଉ ଅମାବାସ୍ୟା ଲାଗି ଆଜି ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ଣ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି । ସ୍ନାନପୂର୍ଣ୍ଣିମାରେ ଠାକୁରମାନେ ଅଣସରକୁ ବିଜେ କରିବା ସମୟରେ ଏହି ରତ୍ନଚିତା କଢ଼ାଯାଇଥିଲା । ଆଜି ତିନିବାଡର ବାଡଗ୍ରାହୀ ଓ ଦଇତାପତି ଶ୍ରୀଅଙ୍ଗରେ ଏହି ଅଳଙ୍କାର ଲାଗି କରିବେ । ଶୁଦ୍ଧ ସୁଆରମାନେ ରତ୍ନ ସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବା ସହ ବାଡଗ୍ରାହୀମାନେ ଏହି ଓଷକୁ ଚିତାରେ ଲାଗି କରାଇବେ । ପାଟରା ସେବକ ଦେଇଥିବା ପାଟ ଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି କରାଯିବ ।

ତେବେ ଶ୍ରାବଣ ମାସରେ ଚାଷ ଜମିରେ ଜନ୍ମ ହୁଅନ୍ତି ଅସୁମାରି ଗେଣ୍ଡା। ମୃତ୍ତିକାର ଉପକାର ଗେଣ୍ଡା କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ଗୋଡ଼ କାଟି ଦେଇଥାଏ। ଏଣୁ ଅରୁଆ ଚାଉଳରେ ଚିତଉ ପିଠା କରି ଚାଷୀ ଘରର ମାଆମାନେ ଧାନ ବିଲକୁ ଯାଇ ଗେଣ୍ଡେଇଶୁଣୀ ଉଦ୍ଦେଶ୍ୟରେ ପିଠା ମାଟିରେ ପୋତନ୍ତି। ଗେଣ୍ଡା ପୂଜା କରନ୍ତି। ବନ୍ୟା ଜଳରୁ ଫସଲ ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପିଠା ଭସାଇଥାନ୍ତି। ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ ।

Get real time updates directly on you device, subscribe now.