fbpx

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡ଼ି ଶିବିର ଚଳଚଞ୍ଚଳ

ଭବାନୀପାଟଣା/ଜୁନାଗଡ଼,(ଭାସ୍କର ନ୍ୟୁଜ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ଏହାକୁ ନେଇ କଳାହାଣ୍ଡି ବିଜେଡ଼ି ଶିବିର ଚଳଚଞ୍ଚଳ ହୋଇ ପଡ଼ିଛି । ସେହିପରି ନିଜ ପ୍ରିୟ ନେତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇବେ କଳାହାଣ୍ଡିବାସୀ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ଦିନକ ପୂର୍ବରୁ ଅର୍ଥାତ ରବିବାର ଜୁନାଗଡ଼ର ବଜାର ପଡ଼ିଆ ଠାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର ପ୍ରାୟ ୩ ହଜାରରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଏକ ବିଶାଳ ବାଇକ୍‌ ରାଲିରେ ଆସି ମିଶ୍ରଣ ପର୍ବରେ ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ଏହି ମିଶ୍ରଣ ପର୍ବ ଫଳରେ ଦଳର ଶକ୍ତି ଆହୁରି ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନ୍ରୁାଣିତ ହୋଇ ବିଜେପି ଓ କଂଗ୍ରେସ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିଜେଡ଼ିମୟ ହେବ ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ୍‌ କୁମାର, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଜିଲ୍ଲା ବିଜେଡ଼ିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ମିଶ୍ରଣ ପର୍ବ ପୂର୍ବରୁ ବାଇକ୍‌ ରାଲି ଅବସରରେ ଜୁନାଗଡ଼ କଲେଜ ଛକ ଠାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । ଘଟଣାସ୍ଥଳରେ ବିଜେଡ଼ି କର୍ମୀ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଭବାନୀପାଟଣାର ଓୟୁଏଟି ପଡ଼ିଆ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦିନ ୧୧ଟାରେ ଭବାନୀପାଟଣାରେ ପହଞ୍ଚି ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୋଜନାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ । ଏହି ଅବସରରେ ବିଜେଡ଼ି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ରିଷିଗାଁ ଠାରୁ ବାହାରି ନୂଆ ବସଷ୍ଟାଣ୍ଡ ଠାରେ ପହଞ୍ଚିବ । ପରେ ସେଠାରୁ ବିଜେଡ଼ିର ଏକ ସ୍ୱାଗତ ଶୋଭାଯାତ୍ରା ଆୟୋଜିତ ହେବ । ବସଷ୍ଟାଣ୍ଡ ଠାରୁ ଓୟୁଏଟି ପଡ଼ିଆ ଯାଏଁ ମହିଳା ମାନଙ୍କୁ ନେଇ ଏହି ସ୍ୱାଗତ ଶୋଭାଯାତ୍ର ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟାହ୍ନରେ ସେଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପାଇଁ ଦୁଇଟି ମଞ୍ଚ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ କାର୍ଯ୍ୟକ୍ରମ ହେଉଥିବା ଅଡିଟୋରିୟମ ଭିତରେ ମାତ୍ର ୨୭୪ ଲୋକଙ୍କୁ ସ୍ଥାନ ଦିଆଯାଇଛି । ଅନ୍ୟମାନେ ବାହାରେ ଥାଇ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବେ । ତେବେ କଳାହାଣ୍ଡି ଜିଲ୍ଲା ମହଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ ଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏପରି ସ୍ଥିତିରେ କଳାହାଣ୍ଡି ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ାବର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରି ବିରୋଧୀଙ୍କୁ ମାତ୍‌ ଦେବାକୁ ବିଜେଡ଼ି କର୍ମୀମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

Get real time updates directly on you device, subscribe now.