ଆଜି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କ ପୂଜା: ଘରେ ଘରେ ପୂଜା ପାଉଛନ୍ତି ଧନଦାତ୍ରୀ

ଓଡ଼ିଶା ଭାସ୍କର: ମହାଲକ୍ଷ୍ମୀ ଧନ ଓ ଐଶ୍ୱର୍ୟ୍ୟର ଅଧିଷ୍ଠାତ୍ରୀ ଦେବୀ । ମାର୍ଗଶୀର ମାସ ଗୁରୁବାର ଧାନ୍ୟଲକ୍ଷ୍ମୀଙ୍କ ଉପାସନା କରାଯାଇଥାଏ । ଏହାକୁ ମାଣବସା ଗୁରୁବାର ଓଷା କୁହାଯାଏ । ଦେବୀ ଧାନ୍ୟ ଲକ୍ଷ୍ମୀଙ୍କ ପ୍ରତୀକ ସ୍ୱରୂପ ମାଣପୂର୍ଣ୍ଣ ଧାନକୁ ସ୍ଥାପନ କରାଯାଇ ବିଧି ଓ ପରମ୍ପରା ମୁତାବକ ଉପାସନା କରାଯାଇଥାଏ । ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ପରମ୍ପରାର ଏହି ମୌଳିକ ପର୍ବରେ ଦେବୀ ଲକ୍ଷ୍ମୀଙ୍କୁ ପାଞ୍ଚ ସପ୍ତାହ ଧରି ପ୍ରତି ଗୁରୁବାର ପୂଜା କରାଯାଇଥାଏ । ଓଡ଼ିଶାର ଘରେ ଘରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ ।

ମାଣବସା ଗୁରୁବାର ପୂଜାରେ ଶସ୍ୟମାପକ ପାତ୍ର ମାଣ, ଗଉଣି, ଧାନକେଣ୍ଡା ଆଦିକୁ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ଗ୍ରହଣ କରି ଉପାସନା କରାଯାଇଥାଏ । କୃଷିବହୁଳ ଓଡ଼ିଆ ପରମ୍ପରା ସହ ଜଡ଼ିତ ଏହା ଏକ କୃଷି ଭିତ୍ତିକ ଓଷା ଅଟେ । ଅଷ୍ଟ ଲକ୍ଷ୍ମୀଙ୍କ ମଧ୍ୟରୁ ଅନ୍ୟତମ ଦେବୀ ଧାନ୍ୟ ଲକ୍ଷ୍ମୀ ଅଷ୍ଟଭୂଜା । ସେ ସବୁଜ ବସ୍ତ୍ରାବୃତା, ଦୁଇ ହସ୍ତରେ ପଦ୍ମ ଅନ୍ୟ ହସ୍ତଗୁଡ଼ିକରେ ଧାନକେଣ୍ଡା, କଦଳୀ, ଆଖୁ ଜାଇଫଳ ଆଦି ଧାରଣ କରିଥାନ୍ତି । ମା’ଲକ୍ଷ୍ମୀ ହେଉଛନ୍ତି ଓଡ଼ିଆ ଜାତିର ଆରାଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପତ୍ନୀ । ଏଣୁ ତାଙ୍କରି ପୂଜା ପ୍ରତ୍ୟେକ ଓଡ଼ିଆ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥାଏ ।

ମାଣବସା ଗୁରୁବାର ଦିନ ପ୍ରତ୍ୟେକ ଓଡ଼ିଆ ବୋହୂ ପ୍ରତ୍ୟୁଷରୁ ଉଠି ଘରଦ୍ୱାର ଲିପି ମାଣ ଖଟୁଲି ସଜାଇଥାଏ । ଘରେ ଦୁଆରେ ଚାଉଳ ଚୂନାରୁ ପ୍ରସ୍ତୁତ ଝୋଟି ପକାଯାଏ । ଖଟୁଲିରେ ନୂତନ ଧାନକେଣ୍ଡାରେ ବେଣୀ ପ୍ରସ୍ତୁତ କରି ଧୂପ, ଦୀପ, ଫୁଲ, ଚନ୍ଦନ ନୈବେଦ୍ୟ ଆଦି ଅର୍ପଣ କରି ମହାଲକ୍ଷ୍ମୀଙ୍କୁ ଆବହନ କରାଯାଏ । ମା’ଲକ୍ଷ୍ମୀଙ୍କ ଓଷା ବହି ପାଠ କରାଯାଏ । ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ମା’ଙ୍କୁ ଭୋଗ ଲାଗି କରାଯାଏ । ମା’ଲକ୍ଷ୍ମୀଙ୍କୁ ଉପାସନା କରୁଥିବା ପରିବାରରେ ସର୍ବଦା ସୁଖସମୃଦ୍ଧି, ଧନଧାନ୍ୟରେ ପୂରି ଉଠେ ।