fbpx

ଆଜି ପଞ୍ଚୁକର ଚତୁର୍ଥ ଦିନ; ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଅନେକ ମାହାତ୍ମ୍ୟ ଏବଂ ଗୁରୁତ୍ୱ ରହିଛି । ଯାହାକି ଅନ୍ୟ ମାସ ତୁଳନାରେ ଏହି ମାସ ଭିନ୍ନ ହୋଇଥାଏ । ଏହି ମାସରେ ଲୋକେ ଦାନ ଧର୍ମ କରିବା ସହ ବିଭିନ୍ନ ଓଷା ମଧ୍ୟ କରିଥାନ୍ତି । ଖାସ କରି କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । ଏହାକୁ ପଞ୍ଚୁକ ବା ବକ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଯେଉଁମାନେ କାର୍ତ୍ତିକ ମାସରେ ବ୍ରତ ପାଳନ କରି ନଥାନ୍ତି, ସେମାନେ ଏହି ପାଞ୍ଚଦିନ ବ୍ରତ କରି ମହାପୁଣ୍ୟ ଅର୍ଜନ କରିଥାନ୍ତି । ତେବେ ଏହି ପଞ୍ଚୁକ ପାଞ୍ଚଦିନରେ ଶ୍ରୀଜିଉ ବିଭିନ୍ନ ପ୍ରକାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପୂର୍ବରୁ ମହାବାହୁ ବିଭିନ୍ନ ବେଶ ଧାରଣ କରିଥିବାବେଳେ ଆଜି ପଞ୍ଚୁକର ଚତୁର୍ଥ ଦିନରେ ଅର୍ଥାତ୍ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଏହି ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସୁସଜ୍ଜିତ ହୋଇଛନ୍ତି । ତେବେ ଶ୍ରୀମନ୍ଦିରରେ ନୀତି ସରିବା ପରେ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଏହି ବେଶରେ ଶୃଙ୍ଗାର କରିଥାନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବାକୁ ଆଜି ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭୋରରୁ ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ଆଗକୁ ଆଗକୁ ବଢ଼ି ଚାଲିଛି । ଲକ୍ଷ୍ମୀ ନୃସିଂହ ବେଶରେ ମଧ୍ୟ ଶ୍ରୀଜିଉ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବା ସହ ଶଙ୍ଖ,ଚକ୍ର, ହଳ,ମୂଷଳ ଆଦି ଧାରଣ କରିଥାନ୍ତି ।

ତେବେ ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ ହରିଉତ୍ଥାପନ ଏକାଦଶୀ ତିଥିରେ ମହାବାହୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଥିବା ବେଳେ ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ହୋଇଥିଲା । ସେହିପରି ତ୍ରୟୋଦଶୀ ତିଥିରେ ଭକ୍ତମାନେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରିଥିଲେ ଏବଂ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ କରୁଛନ୍ତି ଭକ୍ତ ।

ଅନ୍ୟପକ୍ଷେ ଆସନ୍ତାକାଲି ହେଉଛି ପଞ୍ଚୁକର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନ ରାଜରାଜେଶ୍ୱର ବା ରାଜଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । କିନ୍ତୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦର୍ଶନ ପାଇଁ କଟକଣା ରହିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରରେ ରଖି ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯିବ ବୋଲି ଜଣା ପଡିଛି ।

Get real time updates directly on you device, subscribe now.