fbpx

ରାଷ୍ଟ୍ରପତି ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନ୍‌ଡିଏ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏହି କ୍ରମରେ ଶୁକ୍ରବାର ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଶ୍ରୀମତୀ ମୁର୍ମୁ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ନବୀନ ନିବାସ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଧାନସଭା ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବିଧାନସଭାର ୫୪ ନଂ କକ୍ଷରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସେଠାରେ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କ ପାଇଁ ବିଜେଡ଼ି ସମର୍ଥନ ଜୁଟାଇବାରେ ଲାଗିପଡ଼ିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ମଧ୍ୟ ତାଙ୍କ ପାଇଁ ସମର୍ଥନ ଯୋଗାଡ଼ କରୁଛନ୍ତି ।

ଶ୍ରୀ ପଟ୍ଟନାୟକ କହିଥିଲେ, ସେ ଜଣେ ଓଡ଼ିଆ ଝିଅ ଓ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ତେଣୁ ତାଙ୍କୁ ଜିତାଇବା ଆମ ସମସ୍ତଙ୍କ ଦାୟିତ୍ୱ । ଇତିମଧ୍ୟରେ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଶ୍ରୀ ମୁଦୁଲିଙ୍କୁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଭୋଟ୍‌ କିରି ଦ୍ରୌପଦୀଙ୍କ ସପକ୍ଷରେ ଯିବ ସେନେଇ ମୁଖ୍ୟମନ୍ତ୍ରୀ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖଙ୍କୁ ଦାୟିତ୍ୱ ଦେଇଥିଲେ ।

ସେମାନେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କରି ଦ୍ରୌପଦୀଙ୍କୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଥିଲେ । ବିଜେଡ଼ି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ ଦ୍ରୌପଦୀଙ୍କ ପ୍ରାର୍ଥତ୍ୱ ନେଇ ପ୍ରସ୍ତାବ ଦେଇଥିଲେ । ଜଣେ ଆଦିବାସୀ ଚେହେରା ଭାବେ ଓଡ଼ିଶାର ଝିଅଙ୍କ ନାମକୁ ଦେଶର ସର୍ବୋଚ୍ଚ ପଦବୀ ଲାଗି ସୁାରିଶ କରିଥିଲେ । ଆଉ ଏଥିରେ ମୋହର ମାରିଥିଲେ ମୋଦୀ । ଦ୍ରୌପଦୀଙ୍କ ନାମ ଘୋଷଣା ହେବା ପରେ ତାଙ୍କୁ ଯେପରି ଓଡ଼ିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସମର୍ଥନ ମିଳିବ ସେନେଇ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି । ନିଜେ ଫୋନ୍‌ କରିବା ସହ ଦଳର ଅନ୍ୟ ନେତାମାନଙ୍କୁ ଅନ୍ୟ ଦଳର ବିଧାୟକଙ୍କୁ ମନାଇବା ପାଇଁ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ ଦ୍ରୌପଦୀ ଆସିବା ସମୟରେ ବିଜେଡ଼ି ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.