ଭୁବନେଶ୍ବର(ଓଡ଼ିଶା ଭାସ୍କର): ଦକ୍ଷିଣ ଥାଇଲାଣ୍ଡ ଓ ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଗୁରୁବାର ବେଳକୁ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପରବର୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ-ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ । ତେବେ ଏହି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତୀ ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୩ତାରିଖ ସକାଳୁ ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ପ୍ରବଳ ବର୍ଷା ସହିତ ୭୦-୯୦ କି.ମି ପବନ ବହିବାର ପୂର୍ବାନୁମାନ କରାଯାଉଛି।
ତେବେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟରେ ୧୦୮ ଓଡ୍ରାଫ୍ ଓ ଏନ୍ଡିଆରଫ୍ ଟିମ୍ ଓ ୨ଶହ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ମୁତୟନ କରାଯିବ। ଉପକୂଳବର୍ତୀ ସମସ୍ତ ଜିଲ୍ଲାପାଳ ଓ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୩ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବ। ତେଣୁ ତଳୁଆ, କଚ୍ଚାଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖୀ ବାତ୍ୟା-ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ ରଖିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଛି। ଶୁଖିଲା ଖାଦ୍ୟ ଓ ରିଲିଫ୍ ଉପଲବ୍ଧତା ନେଇ ସଜାଗ ରହିବା, ମାଇକ୍ ଜରିଆରେ ଲୋକମାନଙ୍କୁ ଆଗୁଆ ସୂଚନା, ଆସନ୍ନ ପ୍ରସବା ମହିଳା ଓ ନିଃସହାୟ ବୃଦ୍ଧମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ଆଣିବା ପାଇଁ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।