fbpx

ଟମାଟୋ କିଲୋ ୩ ଟଙ୍କା: ତଥାପି ବିକ୍ରି ନହେବାରୁ ଏମିତି କଲେ ଚାଷୀ

ନୂଆଦିଲ୍ଲୀ: ଗତ ମାସରେ ଟମାଟୋ ଦର ପ୍ରାୟ ୨୯ ପ୍ରତିଶତ ହ୍ରାସ ପାଇଛି । ଏହା ଗ୍ରାହକମାନଙ୍କୁ ଚିନ୍ତାରୁ ମୁକ୍ତି ମିଳିଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଫସଲର ଖର୍ଚ୍ଚ ବାହାର କରିବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ପରିସ୍ଥିତି ଏମିତି ହୋଇଛି ଯେ, ତାମିଲନାଡୁରେ ଟମାଟୋ କିଲୋ ୩ ଟଙ୍କାରେ ମଧ୍ୟ କିଣିବା ପାଇଁ ମଣ୍ଡିରେ କୌଣସି ବେପାରୀ ପ୍ରସ୍ତୁତ ନାହାନ୍ତି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୋଏମ୍ବାଟୁର ସହରର କିନାଥୁକଦାବୁ ପରିବା ମଣ୍ଡିରେ ।

ଏଠାକୁ ଟମାଟୋ ବିକ୍ରିକୁ ନେଇ ଦେଖାଯାଇଛି ଅଜବ ଘଟଣା । ୧୫ କିଲୋ ଓଜନର ଏକ କ୍ରେଟର ଦାମ ୫୦ ଟଙ୍କାରେ ବିକ୍ରି ପାଇଁ କୁହାଯାଇଥିଲା । ଏହାପରେ ମଧ୍ୟ ଟମାଟୋ ବିକ୍ରି ହୋଇ ପାରି ନଥିଲା । ଏଭଳି ପରିସ୍ଥିତି ଦେଖି ଚାଷୀମାନେ ବାଧ୍ୟ ହୋଇ ଟମାଟୋକୁ ହାଇୱେରେ ଫିଙ୍ଗିଥିବାର ଦେଖାଯାଇଛି । ଏହି ସମୟରେ ପାଖାପାଖି ଏକ ଟନ ଟମାଟୋ ଫିଙ୍ଗି ଦେଇଛନ୍ତି ଚାଷୀ । ସେମାନଙ୍କ କହିବା ଅନୁସାରେ ଏକ ଏକର ଚାଷଜମିରେ ଟମାଟୋ ଫସଲ କରିବା ପାଇଁ ପ୍ରାୟ ୭୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ମଣ୍ଡିରେ ଯଦି ୧୫ ଟଙ୍କା କିଲୋରେ ଟମାଟୋ ବିକ୍ରି ହୁଏ, ତେବେ ଚାଷୀମାନେ ନିଜ ମୂଲ୍ୟ ପାଇପାରିବେ ।

କୋଏମ୍ବାଟୁରର ଧରମପୁରୀ ଅଞ୍ଚଳରେ ଅନୁକୂଳ ମୌସୁମୀ ଯୋଗୁଁ ଚଳିତ ବର୍ଷ ଟମାଟୋ ଫସଲ ଭଲ ହୋଇଛି । ଏଠାକାର ୯,୩୦୦ଏକରରେ ଟମାଟୋ ଚାଷ ହୋଇଛି । ଜିଲ୍ଲାରେ ପ୍ରତିବର୍ଷ ପ୍ରାୟ ୬୦ଟନ ଟମାଟୋ ଉତ୍ପାଦନ ହୋଇଥାଏ । ତେଣୁ ଚଳିତବର୍ଷ ପ୍ରଥରୁ ଟମାଟୋ ରେଟ ଅକାଶଛୁଆଁ ଥିବା ଦେଖାଯାଇଥିଲା । କିନ୍ତୁ ଧିରେ ଧିରେ ଏହା ଲଗାତାର ଶସ୍ତା ହେବାରେ ଲାଗିଛି ।

ଗୋଟିଏ ମାସରେ ଏହାର ଦାମ ପ୍ରାୟ ଏକ-ତୃତୀୟାଂଶ ଖସିଛି । ସେହିପରି ପିଆଜର ଦାମ ୯ ପ୍ରତିଶତ ଶସ୍ତା ହୋଇଯାଇଛି । ଏକ ମାସ ତଳେ ସାରାଦେଶରେ ଟମାଟୋ ଦର ୫୨.୫୦ ଟଙ୍କା ଥିବା ବେଳେ ମଙ୍ଗଳବାର ଏହି ଦର ୩୭.୩୫ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.