fbpx

ଆସନ୍ତାକାଲି ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ, କାର୍ଯ୍ୟକ୍ରମରେ ଯୋଗ ଦେବେ ଖାସ୍ ଅତିଥି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବ ୭୫ତମ ଗଣତନ୍ତ୍ର ଦିବସ । ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ପ୍ରସ୍ତୁତି ସରିଲାଣି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ ଉତ୍ସବ ଲାଗି ବ୍ୟାପକ ଆୟୋଜନ ହୋଇଛି। ଏଥର ଭାରତର ଏହି ରାଷ୍ଟ୍ର ପର୍ବରେ ଯୋଗ ଦେବେ ବିଦେଶର ଖାସ୍ ଅତିଥି । ଗଣତନ୍ତ୍ର ଦିବସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୋଗ ଦେବେ। ଏଥିପାଇଁ ସେ ବର୍ତମାନ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ବର୍ତ୍ତମାନ ମାକ୍ରନ ଜୟପୁରରେ ପହଞ୍ଚିଛନ୍ତି। ଏହା ସହ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଛି।

ଗଣତନ୍ତ୍ର ଦିବସ ପାଇଁ କେଉଁ ସବୁ ବ୍ୟବସ୍ଥା ହୋଇଛି?

ଗଣତନ୍ତ୍ର ଦିବସ ଉପଲକ୍ଷେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ପରେଡ୍ ପ୍ରଦର୍ଶିତ ହେବ। ପ୍ରଜ୍ଞାପନ ମେଢ ସହ ୩ ସେନା, ଅର୍ଦ୍ଧସାମରିକ ବାହିନୀ, ଏନସିସି ସହ ଅନ୍ୟ ଦଳକୁ ନେଇ ପରେଡ୍ ପ୍ରଦର୍ଶିତ ହେବ। ଏଥିଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କର୍ତ୍ତବ୍ୟପଥରେ ୧୪ ହଜାର ପୋଲିସ କର୍ମୀ ମୁତୟନ ରହିବେ। ଦିଲ୍ଲୀ ସହର ମଧ୍ୟକୁ ଭାରିଯାନ ଏବଂ ହାଲୁକା ମାଲବାହୀ ଯାନ ପ୍ରବେଶ ଉପରେ କଟକଣା ଲାଗିଛି । କର୍ତ୍ତବ୍ୟପଥରେ ୭୭ ହଜାର ଜନତା ପରେଡ ଦେଖିବେ । ସେମାନଙ୍କ ମଧ୍ୟରେ ରହିବେ ୪୨ ହଜାର ଆମନ୍ତ୍ରିତ ଅତିଥି। ଆଜି ରାତିରୁ ଦିଲ୍ଲୀର ସମସ୍ତ ସୀମା ସୁରକ୍ଷାକର୍ମୀଙ୍କ ନଜରରେ ରହିବ।

ଅନ୍ୟପଟେଗଣତନ୍ତ୍ର ଦିବସ ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି । ଆଜି ରାତି ୮ଟାରୁ ଆରମ୍ଭ ହୋଇ କଟକଣା ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ନିର୍ଦ୍ଦେଶନାମା ଅନୁସାରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ପୁରୁଣା ଦିଲ୍ଲୀ ଷ୍ଟେସନ, ନିଜାମୁଦ୍ଦିନ ଷ୍ଟେସନ ଏବଂ ଆନନ୍ଦବିହାର ଷ୍ଟେସନ ନିକଟରେ କୌଣସି ଗାଡ଼ି ପାର୍କ କରିବାକୁ ଅନୁମତି ନାହିଁ । ଦିଲ୍ଲୀରେ ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଷ୍ଟେସନକୁ ଆସୁଥିବା ଗାଡି ଷ୍ଟେସନ ବାହାରେ ହିଁ ଅପେକ୍ଷା କରିବେ।

 

 

Get real time updates directly on you device, subscribe now.