ରାତି ପାହିଲେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ; ସଜେଇ ହେଉଛି ସାକ୍ଷୀଗୋପୀନାଥ ମନ୍ଦିର

ସାକ୍ଷୀଗୋପାଳ: (ଓଡ଼ିଶା ଭାସ୍କର) ରାତି ପାହିଲେ ପବିତ୍ର ଅଁଳାନବମୀ । ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ମାଆ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମାଆ ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି ।

ସେଥିପାଇଁ ସବୁଦିନ ଠାରୁ ଏହି ଦିନ ସବୁଠୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ଏନେଇ ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ବୁଧବାର ସାକ୍ଷୀଗୋପାଳ ପରିଦର୍ଶନ କରିଛନ୍ତି । ଆସନ୍ତା କାଲି ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଏକାଠି ପଡୁଥିବାରୁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସପି ଶ୍ରୀ ଅଗ୍ରୱାଲ । ରାଧା ପଦ ଦର୍ଶନ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ଭିଡ଼ ପରିଚାଳନା ଏବଂ ସମସ୍ତ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି ।