fbpx

ଆସନ୍ତାକାଲି କୋର୍ଟରେ ହେବ ସୁମିତ-ତପସ୍ୱିନୀଙ୍କ ଶୁଣାଣି: ପୁଣି ପରିସ୍ଥିତି ବିଗିଡ଼ିବ ନା ସମାଧାନ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହର ରାୟ ଆସିବ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆସନ୍ତାକାଲି କି ରାୟ ଶୁଣାଇବେ ତାହାକୁ ସଭିଙ୍କ ଅପେକ୍ଷା । ହୋଇପାରେ କୋର୍ଟ କିଛି ନୂଆ ରାୟ ଦେଇପାରନ୍ତି, ଯାହା ମାଧ୍ୟମରେ ଏହି ଦମ୍ପତି ପୁଣି ଥରେ ଯୋଡ଼ି ହୋଇପାରିବେ । ଗତ ୨୭ ତାରିଖରେ କୋର୍ଟ ଆସନ୍ତା ୪ ତାରିଖକୁ ମାମଲାର ଶୁଣାଣି ଘୁଞ୍ଚାଇ ଦେଇଥିଲେ । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଶ୍ୱଶୁର ଘର ବାରଣ୍ଡାରେ ବସି ରହିବେ ବୋଲି ପୂର୍ବରୁ ପ୍ରତିକ୍ରିୟାରେ ତପସ୍ୱିନୀ କହିଥିଲେ ।

ଏହି ମାମଲାରେ ଗୋଟିଏ ପଟେ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି । ମାତ୍ର ଅନ୍ୟପଟେ ସୁମିତ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଅଲଗା ରହିବାକୁ ଚାହୁଁଛନ୍ତି । ତେବେ ଏହା ମଧ୍ୟରେ ଦୁଇଦିନ ପୂର୍ବରୁ ସୁମିତଙ୍କ ଜଣେ ସାଙ୍ଗ ତପସ୍ୱିନୀଙ୍କ ବାପାଙ୍କଭ ଫୋନ କରି ମାମଲାର ଦଫାରଫା ପାଇଁ ଟଙ୍କା ନେଣଦେଣ ବିଷୟରେ କହିଥିବା ଅଡିଓ ଭାଇରାଲ୍ ହୋଇଥିଲା । ଅବଶ୍ୟ ଏ ନେଇ ସୁମିତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ଶୁଣାଣି ତାରିଖ ପୂର୍ବରୁ ସୁମିତଙ୍କ ପକ୍ଷରୁ ଅଡିଓ ଭାଇରାଲ ହୋଇଥିବାରୁ ଅନୁରୂପ ଘଟଣା ଦେଖିବାକୁ ମିଳିପାରେ । ଗୋଟିଏ ପଟେ ଉଭୟଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଅନ୍ୟପଟେ ତପସ୍ୱିନୀ ଧାରଣାରେ ବସିଛନ୍ତି । ତେଣୁ ଏହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି କିଛି ଆଇନଜୀବୀ ମତ ଦେଇଛନ୍ତି । ତେଣୁ ତପସ୍ୱିନୀ ଆଗକୁ ଧାରଣା ଜାରି ରଖିବେ କି ବାରଣ୍ଡାରୁ ଉଠିବେ ତାହା କୋର୍ଟଙ୍କ ରାୟ ପରେ ଜଣାପଡ଼ିବ । ଏକ ମାସରୁ ଅଧିକ ସମୟ ଧରି ଏହି ମାମଲା କେବଳ ରାଜ୍ୟ ନୁହେଁ ଦେଶ, ବିଦେଶରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଯାଇ କିଛି ମହିଳା ସଂଗଠନ, ସ୍ଥାନୀୟ ବାସିନ୍ଦା ଆଗକୁ ଆସିଥିବା ବେଳେ ସୋସିଆଲ ମିଡ଼ିଆରେ ସୁମିତଙ୍କୁ ମଧ୍ୟ କିଛି ସମର୍ଥନ କରୁଥିବା ଦେଖାଯାଇଛି । ତେବେ ଆଗକୁ ଏହି ଦମ୍ପତିଙ୍କୁ ନ୍ୟାୟ ମିଳୁ ଏହା ହିଁ ସମସ୍ତଙ୍କର ନୂଆବର୍ଷରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ।

Get real time updates directly on you device, subscribe now.