fbpx

ବିଶ୍ୱକପ ପାଇଁ Top Order ଫାଇନାଲ, କିନ୍ତୁ ୪/୫ ନମ୍ବରରେ ଖେଳିବେ କିଏ? ଏବେ ବି Suspense…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଯେତେ ପାଖେଇ ଆସୁଛି, ଟିମ ଇଣ୍ଡିଆ ପାଇଁ ଚିନ୍ତା ସେତେ ବଢିବାରେ ଲାଗିଛି । କାରଣ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚୟନ ହୋଇ ପାରିନି । ଏବେ ବି ଦଳର ଦୁଇଟି ସ୍ଥାନକୁ ନେଇ ଅଧିନାୟକ ରୋହିତ ଏବଂ ଟିମ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ରହିଛନ୍ତି । ଦିନିକିଆ ଫର୍ମାଟରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ମଧ୍ୟକ୍ରମରେ ବାରମ୍ବାର ଫେଲ ମାରିଛି ଟିମ ଇଣ୍ଡିଆ । ତେମେ ଏହି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ଭାରତକୁ ମିଳି ପାରିନାହିଁ ।

ବର୍ତ୍ତମାନ ଭିତରେ ଦିନିକିଆ ବିଶ୍ୱକପ ପାଇଁ ପ୍ରାତଃ ଟପ୍ ଅର୍ଡର ଫାଇନାଲ ହୋଇ ସାରିଛି । କିନ୍ତୁ ୪ ଏବଂ ୫ ନମ୍ବରରେ କିଏ ଖେଳିବେ? ଭାରତର ପଞ୍ଚମ ବୋଲର କିଏ? ଏହି ପ୍ରଶ୍ନ ଉତ୍ତର ଖୋଜି ପାଇନି ଟିମ ଇଣ୍ଡିଆ । କିଛି ଖେଳାଳିଙ୍କ ଆହତ ସମସ୍ୟା ଭାରତକୁ ଏହି ଦ୍ୱନ୍ଦ୍ୱରୁ ବାହାର କରିବାକୁ ଦେଇନି । ଭାରତର ଟପ୍ ଅର୍ଡରରେ ରୋହିତଙ୍କ ସହ ଇଶାନ କିଶାନଙ୍କୁ ଓପନିଙ୍ଗ କରିବାର ସୁଯୋଗ ଦିଆଯାଇପାରେ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ତାଙ୍କର ଦମଦାର ବ୍ୟାଟିଂ ପ୍ରଦର୍ଶନ ସହିତ ୱିକେଟ କିପିଙ୍ଗରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ସେପଟେ ଶୁଭମନ ଗିଲ ବାରମ୍ବାର ବିଫଳ ହେଉଥିବାରୁ ଇଶାନ କିଶାନଙ୍କୁ ସୁଯୋଗ ମିଳିପାରେ । ସେହିପରି ତୃତୀୟ ନମ୍ବରରେ ବିରାଟ କୋହଲି ଖେଳିବା ସୁନିଶ୍ଚିତ । କିନ୍ତୁ ଏହାପରେ ଦଳ ପାଇଁ ସୃଷ୍ଟି ହେଉଛି ସମସ୍ୟା । ୪ ନମ୍ବର ଏବଂ ୫ ନମ୍ବର ସ୍ଥାନ ପାଇଁ ଟିମ ମ୍ୟାନେଜମେଣ୍ଟ ଅଙ୍କକଷା ଜାରି ରଖିଛି ।

୨୦୧୯ ବିଶ୍ୱକପ ପରଠାରୁ ଏହି ସ୍ଥାନ ପାଇଁ ଭାରତ ୧୪ ଜଣ ଖେଳାଳିଙ୍କୁ ସୁଯୋଗ ଦେଇଛି । କିନ୍ତୁ ୪ ବର୍ଷ ପରେ ବି ଏହାର ସମାଧାନ ହୋଇ ପାରିଲା ନାହିଁ । ତେବେ ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲ ଏହି ସ୍ଥାନ ପାଇଁ ସବୁଠାରୁ ଭଲ ବିକଳ୍ପ ଭାବରେ ଦାବିଦାର ରହିଛନ୍ତି । କିନ୍ତୁ ଉଭୟ ଖେଳାଳି ବର୍ତ୍ତମାନ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ବିଶ୍ୱକପ ସୁଦ୍ଧା ସେମାନେ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ଏହାବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ ମଧ୍ୟ ତାଲିକାରେ ସାମିଲ ଅଛନ୍ତି । କିନ୍ତୁ ସେମାନେ ସେତେ ସୁନ୍ଦର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ରାହୁଲ ୪ ମ୍ୟାଚରୁ ୮୯.୧୫ ଷ୍ଟ୍ରାଇକ ରେଟରେ ୧୮୯ ରନ୍ କରିଥିବା ବେଳେ ଶ୍ରେୟସ ୨୨ ମ୍ୟାଚରେ ୯୪.୩୭ ଷ୍ଟ୍ରାଇକ ରେଟ ସହ ୮୦୫ ରନ୍ କରିଛନ୍ତି । ସେହିପରି ୫ ନମ୍ବର ପାଇଁ ସୂର୍ଯ୍ୟକୁମାର ଯାଦବ ଏବଂ ରାହୁଲ ସବୁଠାରୁ ସଫଳ ପ୍ଲେୟର ।

ଏହାପରେ ୬ ଏବଂ ୭ ନମ୍ବରରେ ଦୁଇ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ମଧ୍ୟ ପକ୍କା ହୋଇ ସାରିଛି । ବିଶ୍ବକପ ପାଇଁ ୩ ପେସ୍ ବୋଲର ଭାବରେ ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ଏକ ପ୍ରକାର ନିଶ୍ଚିତ । କିନ୍ତୁ ଚତୁର୍ଥ ପେସ୍ ବୋଲର ପାଇଁ ଶାର୍ଦ୍ଦୁଳ ଠାକୁର, ମୁକେଶ କୁମାର ଏବଂ ପ୍ରସିଦ୍ଧ କୃଷ୍ଣାଙ୍କ ମଧ୍ୟରେ ଟକ୍କର ହୋଇପାରେ । ଭାରତୀୟ ଦଳରେ କୌଣସି ଅଫ୍ ସ୍ପିନର ନଥିବା ବେଳେ ଜାଡେଜାଙ୍କ କୋ-ସ୍ପିନର ସ୍ଥାନରେ ଚହଲ-କୁଳଦୀପଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ଦେଇପାରେ ଟିମ ମ୍ୟାନେଜମେଣ୍ଟ । ତେବେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିବା ଆଶା ଖୁବ କମ୍ ରହିଛି ।

Get real time updates directly on you device, subscribe now.