fbpx
BJD SKY
BJD SKY

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଗୋଟିଏ ଲେଖାଏଁ ‘କିନ୍ନର ସୁରକ୍ଷା ସେଲ’

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କର ସୁବିଧା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିବା ସହିତ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର କୃଷକଙ୍କ ପାଇଁ ‘କାଳିଆ’ ଯୋଜନା ଲାଗୁ କରିବା ସହିତ ନବଜାତ ଶିଶୁ, ଗର୍ବବତୀ ମହିଳା, ବୟସ୍କଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ଏଥିସହିତ ଛୋଟ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ସେମାନଙ୍କୁ ରାଜ୍ୟ ସରକାର ମାଗଣାରେ ପାଠ୍ୟପୁସ୍ତକ ସହିତ ଡ୍ରେସ, ଖାତା, ବହି, ଲାପଟପ ଯୋଗାଇ ଦେଉଛନ୍ତି ।

ତେବେ ଏହା ମଧ୍ୟରେ କିନ୍ନରମାନଙ୍କର ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । କିନ୍ନରଙ୍କ କଲ୍ୟାଣ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘କିନ୍ନର ସୁରକ୍ଷା ସେଲ’ ପ୍ରତିଷ୍ଠା କରାଯିବ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ରାଜ୍ୟର ଖୋର୍ଦ୍ଧା, ନବରଙ୍ଗରପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଅନୁଗୁଳ ବ୍ୟତୀତ ଅନ୍ୟ ସବୁ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି ।

କିନ୍ନରମାନଙ୍କର ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ ଏହି ସେଲ ପ୍ରତିଷ୍ଠା କରିବା ଜରୁରୀ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ଏଥିସହିତ ଟ୍ରାନ୍ସଜେଣ୍ଡର ପର୍ସନ ଆଇନ-୨୦୧୯ ଓ ଟ୍ରାନ୍ସଜେଣ୍ଡର ପର୍ସ ନିୟମ-୨୦୨୦ ଅନୁସାରେ ଏହି ସେଲ ପ୍ରତିଷ୍ଠା ଜରୁରୀ ବୋଲି ମଧ୍ୟ କୁହାଯାଇଛି । ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲା ସ୍ତରରେ ସେଲ ପ୍ରତିଷ୍ଠା ସମ୍ପର୍କିତ ସୂଚନା ବିଭାଗକୁ ପଠାଇବେ ଓ ସେହି ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ଜିଲ୍ଲା ସ୍ତରୀୟ କିନ୍ନର ସୁରକ୍ଷା ସେଲ ଭାରତ ସରକାରଙ୍କ ନିୟମ ଅନୁସାରେ କିନ୍ନରଙ୍କ ସୁରକ୍ଷା ତଥା କଲ୍ୟାଣ ଦିଗରେ କାର୍ଯ୍ୟ ସୁନିଶ୍ଚିତ କରିଥାଏ ।

Get real time updates directly on you device, subscribe now.