ୱାଶିଂଟନ,୨୫ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ନେଦରଲାଣ୍ଡରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀ ୨୦୨୫ରେ ଯୋଗ ଦେବାକୁ ଆସିଥିବା ଟ୍ରମ୍ପ ପୁଣି ଥରେ ବାହାଦୂରୀ ମାରି କହିଛନ୍ତି ଯେ, ମୁଁ ବାଣିଜ୍ୟ ଧମକ ଦେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି କରାଇଛି।
ଟ୍ରମ୍ପ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ବାଣିଜ୍ୟ ବିଷୟରେ ଫୋନ୍ରେ ଧମକ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଶେଷ କରିଛି। ମୁଁ କହିଥିଲି ଯେ, ଯଦି ତୁମେ ପରସ୍ପର ସହିତ ଯୁଦ୍ଧ କରିବାକୁ ଯାଉଛ, ତେବେ ଆମେ କୌଣସି ବାଣିଜ୍ୟ ଚୁକ୍ତି କରିବୁ ନାହିଁ।
ଟ୍ରମ୍ପ କହିଛନ୍ତି, ‘ଗତ ସପ୍ତାହରେ ପାକିସ୍ତାନର ଜେନେରାଲ ମୋ କାର୍ଯ୍ୟାଳୟରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ବହୁତ ଭଲ ବନ୍ଧୁ। ସେ ଜଣେ ମହାନ ଭଦ୍ରଲୋକ, ସେ ଜଣେ ମହାନ ବ୍ୟକ୍ତି। ମୁଁ ତାଙ୍କୁ ବୁଝାଇ କହିଥିଲି ଯେ, ଯଦି ତୁମେ ଯୁଦ୍ଧ କରିବାକୁ ଯାଉଛ, ତେବେ ଆମେ ବାଣିଜ୍ୟ ଚୁକ୍ତି କରିବୁ ନାହିଁ। ସେ କହିଥିଲେ ନା, ମୁଁ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଚାହୁଁଛି ଏବଂ ଏହି ଭାବରେ ମୁଁ ପରମାଣୁ ଯୁଦ୍ଧ ବନ୍ଦ କରିଦେଇଛି।
ଟ୍ରମ୍ପ ପୂର୍ବରୁ ଅନେକ ଥର କହିଛନ୍ତି ଯେ, ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେଇଛି। ମୁଁ ପାକିସ୍ତାନକୁ ଭଲ ପାଏ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଚମତ୍କାର ବ୍ୟକ୍ତି। ଆମେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଫୋନ୍ କଥାବାର୍ତ୍ତାର ମାତ୍ର ୧୨ଘଣ୍ଟା ପରେ ଟ୍ରମ୍ପଙ୍କ ଏହି ବୟାନ ଆସିଛି।
ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବେ ଟ୍ରମ୍ପଙ୍କ ସହ ଫୋନ୍ କଥା ହୋଇଥିଲେ ଏବଂ ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତିଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସୂଚନା ଦେଇ ବୈଦେଶିକ ସଚିବ କହିଥିଲେ ଯେ, ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଅପରେଶନ ସିନ୍ଦୂର ସହିତ ଜଡିତ କୌଣସି ପ୍ରସଙ୍ଗରେ ବାଣିଜ୍ୟ ସମ୍ପର୍କିତ କୌଣସି ଆଲୋଚନା ହୋଇନାହିଁ।
ଭାରତ କେବଳ ପାକିସ୍ତାନର ନିର୍ଦ୍ଦେଶରେ ଯୁଦ୍ଧବିରତି କରିଛି। ଭାରତ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା ଗ୍ରହଣ କରେ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏପରି କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ।