ବାହାରିଲା ସମାଧାନର ବାଟ: ମାମଲା ପ୍ରତ୍ୟାହାର କରିନେବେ ତୃପ୍ତି, ସୂଚନା ଦେଲେ ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାମଧ୍ୟରେ ବାବୁ-ପ୍ରକୃତିଙ୍କ ଅଡିଓ କଲ୍ ଭାଇରାଲ ହୋଇଥିଲା । ଆଜି ବାବୁଙ୍କ ଜନ୍ମଦିନ ହୋଇଥିବା ବେଳେ ସେ ରାତି ଅଧରେ ନିଜ ପରିବାର ସହ ଏହାକୁ ପାଳନ କରିଥିଲେ । ବାବୁସାନ ତାଙ୍କ ପତ୍ନୀ ତୃପ୍ତି ମହାନ୍ତିଙ୍କୁ ଭିଡିଓ କଲ କରିଥିଲେ ବି ସେ ଉଠାଇନଥିଲେ । ଆଜି ସନ୍ଧ୍ୟା ୫ଟାରେ ବାବୁଙ୍କ ଜନ୍ମଦିନ କେକ୍ କଟିଂ ପ୍ରୋଗ୍ରାମ ରହିଥିବା ବେଳେ ତୃପ୍ତି ଓ ତାଙ୍କ ପୁଅ ଗୁହାନ ଆସିବେ ବୋଲି କୁହାଯାଉଛି ।

ତେବେ ଏହା ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି । ତୃପ୍ତି ବାବୁସାନଙ୍କ ବିରୋଧରେ ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରିନେବେ । ଏନେଇ ସୂଚନା ଦେଇଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ତୃପ୍ତିଙ୍କ ପକ୍ଷରୁ ଆଗତ ଏତଲାରେ ବାବୁ ଅଭିଯୁକ୍ତ ରହିଛନ୍ତି । ତେଣୁ ଆଗୁଆ ଜାମିନ ପାଇଁ ବାବୁ ଗତ ୨୭ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାବୁସାନଙ୍କ ଉପରେ ତୃପ୍ତିଙ୍କ ପକ୍ଷରୁ ଦଫା ୪୯୮(କ), ୫୦୬ରେ ମାମଲା ଦାୟର ହୋଇଛି ।

ଆଜି ବାବୁସାନ ତାଙ୍କ ମାଆ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସହ ଥାନାକୁ ଯାଇଥିଲେ । ଖାରବେଳ ଥାନାରେ ବାବୁଙ୍କୁ ପୋଲିସ ପଚରାଉଚରା କରିଥିଲା । ସେଠାରେ କିଛି ସମୟ ରହିବା ପରେ ବାବୁ ଫେରି ଆସିଥିଲେ, ମାତ୍ର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ସୂଚନାଯୋଗ୍ୟ ଯେ, ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ଗତକାଲି ତୃପ୍ତିଙ୍କ ଘରକୁ ଯାଇ ଆଲୋଚନା କରିଥିଲେ । ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନର ବାଟ ବାହାରିବ ବୋଲି ରବି ପ୍ରତିକ୍ରିୟା ଦେଇଥିଲେ ।