ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ: ଏଣିକି ଡିଭାଇଡରରେ ଲାଗିବ ତୁଳସୀ ଗଛ

ସବୁ ସହରାଞ୍ଚଳକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗାଓ ତୁଳଶୀ ଗଛ । ଟ୍ରାଫିକ ପୋଷ୍ଟରେ ଅଟକୁଥବା ଯାତ୍ରୀ ଭଲ ଅକ୍ସିଜେନ ପାଇପାରିବେ ।

ଭୁବନେଶ୍ବର:  ଏବେ ସବୁ ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗିବ ତୁଳସୀ ଗଛ । ଏନେଇ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆସନ୍ତା 20 ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରାସ୍ତାରେ ଯିବା ସମୟରେ ଆମକୁ ଟ୍ରାଫିକ୍‌ରେ ଅଟକିବାକୁ ପଡୁଛି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। କିନ୍ତୁ ଡିଭାଇଡରରେ ଯଦି ତୁଳସୀ ଗଛ ଲାଗେ ତେବେ, ଟ୍ରାଫିକ୍‌ରେ କିଛି ସମୟ ପାଇଁ ଅଟକୁଥିବା ଯାତ୍ରୀ ଭଲ ଅକ୍ସିଜେନ ପାଇପାରିବେ ବୋଲି ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ‘ତୁଳସୀ’ର ମହାନତା ରହିଛି। ଅମ୍ଲଜାନ ଦେଉଥିବା ଗଛଗୁଡ଼ିକ ମଧ୍ୟରେ ଏହାର ମଧ୍ୟ ଶ୍ରେଷ୍ଠତା ଅଛି। ତେଣୁ ଡିଭାଇଡ଼ରରେ ତୁଳସୀ ଗଛ ଲଗାଇଲେ, ଏହା ବାୟୁମଣ୍ଡଳରେ ଅମ୍ଲଜାନର ମାତ୍ରା ବଢ଼ାଇବାରେ ସହାୟକ ହେବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।