fbpx

ନଳକୂପ ପାଣି ପାଲଟିଛି ବିଷ: ଯିଏ ପିଉଛି ସିଏ ମରୁଛି, ପୁରୁଷମାନେ ହୋଇଯାଉଛନ୍ତି ବିକଳାଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବି ରାଜ୍ୟର ଅନେକ ଅଞ୍ଚଳରେ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ । ତେବେ ଯେଉଁଠି ବି କିଛି ପାଣି ମିଳୁଛି, ତାହାକୁ ସେବନ କରି ଅନେକ ଲୋକ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ । ଏହି ଅଞ୍ଚଳରେ ଲୋକମାନେ ଗ୍ରାମରେ ଥିବା ପୁରୁଣା ନଳକୂପର ପାଣିକୁ ପିଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ହୋଇଛି ।

ଜଣାପଡ଼ିଛି ଯେ, କୋମନା ବ୍ଲକର ଝିଙ୍କଡୋଙ୍ଗରି ଗ୍ରାମରେ ଥିବା ନଳକୂପ ପାଣି ସେବନ କରି ପ୍ରାୟ ୨୦ ଜଣ ଲୋକଙ୍କ ଜୀବନ ଗଲାଣି । କେବଳ ସେତିକି ନୁହେଁ, ଅନେକ ଲୋକ ଦିବ୍ୟାଙ୍ଗ ମଧ୍ୟ ପାଲଟି ଯାଉଥିବା ଜଣାପଡ଼ିଛି । ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୨୦୦ ହୋଇଥିବା ବେଳେ ଦିନକୁ ଦିନ ଗ୍ରାମରେ ପୁରୁଷ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଆଗକୁ ଯଦି ସ୍ଥିତି ନ ସୁଧୁରେ ତେବେ ଗ୍ରାମଟି ପୁରୁଷଶୂନ୍ୟ ହୋଇଯିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ତେବେ ଜଣାପଡ଼ିଛି ଯେ, ନଳକୂପ ପାଣିରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଲୌହ, ଫ୍ଲୋରାଇଡ, ମ୍ୟାଗ୍ନେସିୟମ୍ ରହିଛି । ଯାହାଫଳରେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି । ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଘଟଣାର ତଦନ୍ତ କରାଯିବ ବୋଲି ସିଡିଏମଓ କହିଛନ୍ତି । ଗ୍ରାମରେ ଆଉ ଗୋଟିଏ ନୂତନ ନଳକୂପ ସ୍ଥାପନ ସହ ପାନୀୟ ଜଳର ବ୍ୟବସ୍ଥା କରାଇବାକୁ ଗ୍ରାମବାସୀମାନେ ଦାବି କରିଥିବା ବେଳେ ଏନେଇ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.