fbpx

Twitter-Musk deal: ଶୁକ୍ରବାର ସୁଦ୍ଧା ଡିଲ୍ ପୂରା କରି ପାରନ୍ତି ଏଲନ ମସ୍କ, ନଚେତ୍ ଯିବାକୁ ପଡିବ କୋର୍ଟ

ନୂଆଦିଲ୍ଲୀ: ଏଲନ ମସ୍କ ଏବଂ ଟୁଇଟର ଡିଲରେ ବଡ ରୋଚକ ମୋଡ ଆସିଛି। ମସ୍କଙ୍କୁ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା(ଭାରତୀୟ ସମୟ ଅକ୍ଟୋବର ୨୮ ଭୋର ୨ଟା୩୦) ଡିଲ୍ ପୂରା କରିବାକୁ ପଡିବ। ନଚେତ୍ ତାଙ୍କ ବିରୋଧରେ କୋର୍ଟରେ ଶୁଣାଣି ଆରମ୍ଭ ହେବ। ମସ୍କ ଟୁଇଟରକୁ ୪୪ ବିଲିୟନ ଡଲାରରେ କିଣିବାକୁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ସମସ୍ତ ଅଂଶଧାରୀ ଏବଂ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କଠୁ ଅନୁମତି ମିଳିସାରିଥିଲା। ମାତ୍ର ଜୁଲାଇରେ ମସ୍କ ଅଚାନକ ଚୁକ୍ତି ଭଙ୍ଗ କରିଥିଲେ।

ମସ୍କ ଅଭିଯୋଗ କରିଥିଲେ ଯେ, ଟୁଇଟର ତାଙ୍କୁ ଫେକ୍ ଆକାଉଣ୍ଟ ବିଷୟରେ ସଠିକ୍ ସୂଚନା ଦେଉ ନାହିଁ। ଏଥିପାଇଁ ସେ ଚୁକ୍ତିକୁ ଆଗକୁ ବଢାଇ ପାରିବେ ନାହିଁ। ଯେ ପର‌୍ୟ୍ୟନ୍ତ ଟୁଇଟର ଫେକ୍ ଆକାଉଣ୍ଟ ବିଷୟରେ ସଠିକ୍ ସୂଚନା ଦେଇନାହିଁ ସେ ପର‌୍ୟ୍ୟନ୍ତ ଚୁକ୍ତିନାମା ପୂରା ହୋଇ ପାରିବ ନାହିଁ। ଏହା ପରେ ଟୁଇଟର ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲା। ଆଉ ଅକ୍ଟୋବର ୧୭ରେ ଶୁଣାଣି ଆରମ୍ଭ ହେବାର ଥିଲା। ଏହା ମଧ୍ୟରେ ଏଲନ ମସ୍କ ପୁଣି ଥରେ ଚୁକ୍ତିନାମା ପୂରା କରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ପୁଣି ଥରେ କୋର୍ଟ ଶୁଣାଣିକୁ ଅକ୍ଟୋବର ୨୮ ପର‌୍ୟ୍ୟନ୍ତ ଘୁଞ୍ଚାଇ ଦେଇଥିଲେ।

ଟୁଇଟର କୋର୍ଟକୁ ଜଣାଇଛି ଯେ, ମସ୍କଙ୍କ ବିରୋଧରେ ସରକାରୀ ଏଜେନ୍ସି ଯାଞ୍ଚ ଜାରି ରହିଛି। କର୍ତ୍ତୃପକ୍ଷ ଚୁକ୍ତିନାମା ସମ୍ବନ୍ଧରେ ମସ୍କଙ୍କ କାଗଜପତ୍ରର ଯାଞ୍ଚ କରୁଛନ୍ତି। ଯାଞ୍ଚର ପ୍ରହାର ସବୁଠୁ ଅଧିକ ମସ୍କଙ୍କ ଲିଗାଲ୍ ଟିମ୍ ଉପରେ ପଡୁଛି। ମସ୍କଙ୍କ ଲିଗାଲ ଟିମ୍ ଡ୍ରାଫ କାଗଜପତ୍ର ଜମା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଟୁଇଟର କୋର୍ଟରେ ଅଭିଯୋଗ କରିଛି। ଏହା ଉପରେ ଏଲନ ମସ୍କଙ୍କ କହିବା କଥା ଟୁଇଟର ନିଜର ଆଇନଗତ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଏମିତି କାମ କରୁଛି।

ଖବର ଅନୁସାରେ, ଏଲନ ମସ୍କ ଶୁକ୍ରବାର ସୁଦ୍ଧା ଏହି ଡିଲ୍ ପୁରା କରି ନେବେ। ତାଙ୍କ ଲିଗାଲ ଟିମ୍ ପକ୍ଷରୁ ଏହି ଚୁକ୍ତିନାମା ସମ୍ବନ୍ଧିତ ଅନ୍ୟ ନିବେଶକଙ୍କୁ କାଗଜପତ୍ର ପଠାଯାଇଛି। ଏଥିରେ ସିକୋୟା କ୍ୟାପିଟାଲ, ବିନାନ୍ସ ଏବଂ କାତାର ଇନଭେଷ୍ଟମେଣ୍ଟ ସାମିଲ୍। ହେଲେ ଏହା ଉପରେ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

Get real time updates directly on you device, subscribe now.