fbpx

ମାହାଙ୍ଗା ନାବାଳିକା ମୃତ୍ୟୁ ରହସ୍ୟ: ଗିରଫ ହେଲେ ଶରତ ଓ କ୍ରୀଡ଼ା ଶିକ୍ଷକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଙ୍ଗା ନାବାଳିକାଙ୍କ ମୃତ୍ୟୁ ରହସ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଏହି ମାମଲାରେ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଥିଲା ଓ ତା’ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ନାବାଳିକାଙ୍କ ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଶରତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ମାମଲାରେ ଭାଇରାଲ ହୋଇଥିବା ଅଡିଓରେ ଶରତ ୭୦ ହଜାର ଟଙ୍କା ମାଗୁଥିବା ଜଣାପଡ଼ିଥିଲା । ଏଥିସହିତ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖେଳ ଶିକ୍ଷକ ଅନୁପମ ରାୟ ସ୍ୱୀକାର କରିଥିଲେ । ତେଣୁ ଆତ୍ମହତ୍ୟା ପାଇଁ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଅନୁପମଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ମାହାଙ୍ଗା ଥାନା ପୋଲିସ ଗିରଫ କରିଛି । ଦୁହିଁଙ୍କର ଗିରଫଦାରୀ ନେଇ କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।

ଶରତଙ୍କ ଅଡିଓ ଭାଇରାଲ ହେବା ପରେ ଖୁବ୍ ହଇଚଇ ସୃଷ୍ଟି ହୋଇଥିଲା । କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ଶରତଙ୍କର ଅଡିଓ ଭାଇରାଲ ହୋଇଥିଲା । ମାମଲାର ଦଫାରଫା କରିବା ପାଇଁ ପୋଲିସକୁ ୭୦ ହଜାର ଟଙ୍କା ଦେବାକୁ ଶରତ ଅନୁପମଙ୍କ ମା’ଙ୍କୁ କହିଥିଲେ । ବର୍ତ୍ତମାନ ମାମଲାର ଅଧିକ ତଦନ୍ତଜାରି ରହିଥିବା ବେଳେ ପ୍ରଥମେ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି କୁହାଯାଉଥିଲା । ମାତ୍ର ଅଡିଓ ଭାଇରାଲ ହେବା ପରେ ଗତ ୧୬ ତାରିଖରେ କଟକ ଏସପି ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଉଭୟ ଶରତ ଓ ଅନୁପମଙ୍କୁ ପୋଲିସ ତରଫରୁ ପଚରାଉଚରା କରାଯାଇଥିଲା ।

Get real time updates directly on you device, subscribe now.