ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ, ସାରା ଦେଶରେ ୭୫, ଓଡ଼ିଶାରେ ୫ଟି ବତୀଘରର ବିକାଶ କରାଯାଇଛି

ଭୁବନେଶ୍ୱର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି । ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘର ଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ ।

ସୂଚନାଯୋଗ୍ୟ ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି । ବତୀଘର ପର୍ଯ୍ୟଟନରେ ଓଡ଼ିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟହାଉସର ବିକାଶ କରାଯାଇଛି । ଏଥିରେ ଓଡିଶାର ୫ଟି ଲାଇଟହାଉସ ସ୍ଥାନ ପାଇଛି। ଏଗୁଡିକ ହେଲା- ଗୋପାଳପୁର, ପୁରୀ, ଚନ୍ଦ୍ରଭାଗା, ଫଲ୍‌ସ ପଏଣ୍ଟ ଓ ପାରାଦୀପ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବତୀଘରକୁ ଯେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ, ଏହା ସାମାନ୍ୟ ଚିନ୍ତାଧାରାର ବାହାରେ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଚିନ୍ତାଧାରା ଓ ଦୂରଦୃଷ୍ଟି ଯୋଗୁ ଆଜି ଆମର ବତୀଘର ଗୁଡ଼ିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବା ସହିତ ଆମର ନୌବାଣିଜ୍ୟ ଐତିହ୍ୟର ପ୍ରସାର କରୁଛନ୍ତି ।

ସୂଚନାଯୋଗ୍ୟ ଲାଇଟହାଉସ ଗୁଡିକୁ ବିକଶିତ କରାଯାଇ ଏଥିରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସୁବିଧାର ବିକାଶ ମଧ୍ୟ କରାଯାଇଛି । ଏଥିରେ ଦର୍ଶକଙ୍କ ବସିବା ପାଇଁ ସେଡ୍, ଝରଣା, ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା, ପଥର କାରୁକାର୍ଯ୍ୟ ଓ ଅନ୍ୟାନ୍ୟ ସୁବିଧାର ବିକାଶ ମଧ୍ୟ କରାଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୟାଣ୍ଡ ଆର୍ଟ, ବୋର୍ଟ ଆର୍ଟ, ବିଚ୍ କ୍ଲିନ୍-ଅପ୍ ଡ୍ରାଇଭ୍, ଯୋଗ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ ମଧ୍ୟ କରାଯାଇଥିଲା । ଏସବୁ କାର୍ଯ୍ୟକ୍ରମ ଜରିଆରେ ପୁରୀର ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ବତୀଘର ମଧ୍ୟ ଯୋଡି ହୋଇଯିବ । ମୁଁ ଆଶା କରୁଛି କେନ୍ଦ୍ର ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଦେଶର ପର୍ଯ୍ୟଟନ ମ୍ୟାପରେ ଓଡ଼ିଶାର ଅବସ୍ଥିତ ବତୀଘରଗୁଡିକ ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚିତ ହେବ । ଏହା ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଦୂରଦର୍ଶୀ ସମ୍ପନ୍ନ କାର୍ଯ୍ୟକ୍ରମ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ବତୀଘର ବା ଲାଇଟହାଉସ ଆମ ଐତିହାସିକ ବୈଭବର ପରିଚୟ ଦିଏ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଇତିହାସରୁ ଜଣାଯାଏ ଯେ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ଏକ ଦୃଢ ନୌବାଣିଜ୍ୟ ପରମ୍ପରା ରହିଥିଲା । ସେ ସମୟରେ ସେଠାରେ ବତୀଘର ପରମ୍ପରା ଥିବାର ଅନୁମାନ ମଧ୍ୟ କରାଯାଏ ।

ପ୍ରାଚୀନ ଭାରତରେ ତାମିଲନାଡୁର ମହାବଳିପୁରମ ଠାରେ ଥିବା ଓଲାକାନେଶ୍ୱର ମନ୍ଦିର ଏକ ଲାଇଟହାଉସ ବା ବତୀଘର ଭାବେ ବ୍ୟବହୃତ ହେଉଥିବାର ପ୍ରମାଣ ମିଳେ। ତେଣୁ, ଭାରତର ନୌବାଣିଜ୍ୟ ପରମ୍ପରା ଓ ବତୀଘରର ପ୍ରଚଳନ ଯେ ବହୁ ପୁରାତନ, ଏଥିରେ ସନ୍ଦେହ ନାହିଁ । ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଆ ସାଧବ ପୁଅମାନେ ଜାଭା, ସୁମାତ୍ରା ଓ ବାଲି ଦ୍ୱୀପ ସହିତ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଆମର ଏହି ନୌବାଣିଜ୍ୟ ପରମ୍ପରା ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିଥିଲା । ସେହି ପରମ୍ପରାର ସ୍ମୃତି ସ୍ୱରୂପ ଆଜି ଓଡିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉତ୍ସବ ପାଳନ କରାଯାଉଛି। ବର୍ତ୍ତମାନ ବାଲିଯାତ୍ରା ସହିତ ବତୀଘର ମହୋତ୍ସବ ଯୋଡି ହୋଇ ଓଡିଶାର ପ୍ରାଚୁର୍ଯ୍ୟମୟ ଐତିହ୍ୟର ସ୍ମୃତିଚାରଣ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଆଣିବ ।

ପୁରୀ ସମୁଦ୍ରକୁଳର ଆକର୍ଷଣ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁରୀ ହେଉଛି ଏକମାତ୍ର ବେଳାଭୂମି ଯେଉଁଠି ବର୍ଷସାରା ଏକ ପ୍ରକାର ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳିଥାଏ । ଏହି ଉତ୍ସବର ମାହୋଲ ପୁରୀ ବେଳାଭୂମିକୁ ଦେଶର ଅନ୍ୟାନ୍ୟ ବେଳାଭୂମିଠାରୁ ଅଲଗା ପରିଚୟ ଦେଇଥାଏ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଦ୍ୱାର ଗୁଡିକୁ ବନ୍ଦ କରାଯାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୃତ୍ରିମ ପ୍ରାଚୀର ସୃଷ୍ଟି କରାଯାଇଥିଲା। ବର୍ତ୍ତମାନ ଆମ ସରକାର ଚାରି ଦ୍ୱାର ଖୋଲି ସେ ପ୍ରାଚୀରକୁ ଦୂରକରି ଜଗନ୍ନାଥ ଦର୍ଶନକୁ ଏକ ଆନନ୍ଦମୟ ମୂହୁର୍ତ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି । ଏହା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟ ଟଙ୍କାର ଏକ କର୍ପସ ପାଣ୍ଠି ମଧ୍ୟ ଗଠନ କରାଯାଇଛି। ନୀତିକାନ୍ତିକୁ ସମୟାନୁବର୍ତ୍ତିତା କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି । ଏଥିସହିତ ଶୃଙ୍ଖଳିତ ତଥା ସୁରକ୍ଷିତ ଦର୍ଶନ କରିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ସୂଚନାଯୋଗ୍ୟ ଏହି ଅବସରରେ ପାରାଦୀପ ବନ୍ଦରରେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଯାଇଥିଲା । ପାରାଦୀପ ବନ୍ଦରରେ ମାଲ ପରିବହନର ସୁବିଧା ପାଇଁ ଗୋଟିଏ ଫ୍ଲାଇ-ଓଭର ଏବଂ ଚାରି ଲେନ୍ ବିଶିଷ୍ଟ ଏକ ସଡ଼କ ମଧ୍ୟ ନିର୍ମାଣ କରାଯାଇଛି। ଏହା ସହିତ କାର୍ଗୋ ହାଣ୍ଡଲିଙ୍ଗରେ ସୁବିଧା ପାଇଁ ଏହାର ଆଧୁନିକୀକରଣ ମଧ୍ୟ କରାଗଲା । ଏହା ଦ୍ୱାରା ଘଣ୍ଟାକୁ ୩୦ ହଜାର ଟନ ଲୁହା ପଥର କାରବାର କରାଯାଇପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ପାରାଦୀପ ବନ୍ଦରର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ।