fbpx

ଜମ୍ମୁ ବାୟୁସେନା ଘାଟିରେ ୫ ମିନିଟରେ ଦୁଇ ବିସ୍ଫୋରଣ, ଟାର୍ଗେଟରେ ଥିଲା ଏୟାରକ୍ରାଫ୍ଟ, ଏନଆଇଏର ତଦନ୍ତ ଆରମ୍ଭ

Advertisement

ଜମ୍ମୁ : ଜମ୍ମୁ ବିମାନ ବନ୍ଦର ସ୍ଥିତ ଏୟାରଫୋର୍ସ ଷ୍ଟେସନ ଭିତରେ ଶନିବାର ବିଳମ୍ବିତ ରାତ୍ରିରେ ମାତ୍ର ପାଞ୍ଚ ମିନିଟ୍ ବ୍ୟବଧାନରେ ଦୁଇଟି ବଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ରାତି ପ୍ରାୟ ୧ଟା ୩୦ରେ ଘଟିଛି। ପ୍ରଥମ ବିସ୍ଫୋରଣ ବିମାନ ବନ୍ଦରର ବୈଷେୟିକ କ୍ଷେତ୍ରରେ ହୋଇଥିବା ବେଳେ ଅନ୍ୟଟି ଏକ କୋଠାର ଛାତ ଉପରେ ହୋଇଛି। ଏହି ବିସ୍ଫୋରଣରେ କାହାରି ମୃତାହତର ଖବର ନାହିଁ। ଏହି ଘଟଣା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। କାରଣ ଏହି ବିସ୍ଫୋରଣ ପାଇଁ ଦୁଇଟି ଡ୍ରୋନର ବ୍ୟବହାର କରାଯାଇଥିଲା ଏବଂ ଟାର୍ଗେଟରେ ଥିଲା ଭାରତୀୟ ବାୟୁସେନା।

ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ, କଣ ଡ୍ରୋନର ନିଶାଣରେ ଭାରତୀୟ ବାୟୁସେନାର ଏୟାରକ୍ରାଫ୍ଟ ଥିଲା ? କଣ ପୁଣି ଥରେ ପଠାନକୋଟ ଆକ୍ରମଣ ଦୋହରାଇବାକୁ ଷଡଯନ୍ତ୍ର ରଚା ଯାଇଥିଲା ?  ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପୋଲିସ ସହିତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ତଦନ୍ତରେ ଜୁଟି ଯାଇଛନ୍ତି। ଆତଙ୍କୀ ସଂଶ୍ଳିଷ୍ଟତାର ଯାଞ୍ଚ ପାଇଁ ଏନଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ସୂତ୍ର ଅନୁଯାୟୀ, ଭାରତୀୟ ବାୟୁସେନାର ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ମଧ୍ୟ ଜମ୍ମୁ ଅଭିମୁଖେ ଯାତ୍ରା କରିଛନ୍ତି। କୁହାଯାଉଛି ଯେ, ଡ୍ରୋନର ସମ୍ଭାବିତ ଟାର୍ଗେଟ୍ ବେସରେ ଥିବା ଭାରତୀୟ ବାୟୁସେନାର ବିମାନ ଉପରେ ଥିଲା।

 

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବିସ୍ଫୋରଣକୁ ନେଇ ଜମ୍ମୁରେ ବାୟୁସେନା ଷ୍ଟେସନରେ ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶଲ ଏଚଏସ ଅରୋଡାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏୟାର ମାର୍ଶଲ ବିକ୍ରିମ ସିଂହ ସ୍ଥିତିର ସମୀକ୍ଷା ପାଇଁ ଜମ୍ମୁ ପହଞ୍ଚିଛନ୍ତି। ଏୟାରବେସ ନିକଟରେ ଘଟିଥିବା ଡ୍ରୋନ ବିସ୍ଫୋରଣରେ  ଭାରତୀୟ ବାୟୁସେନାର ଦୁଇ କର୍ମଚାରୀଙ୍କୁ ସାମାନ୍ୟ ଆହାତ ଲାଗିଛି।

 

କିନ୍ତୁ ଏୟାରଫୋର୍ସ ଷ୍ଟେସନ ଉପରେ ଡ୍ରୋନ ଆକ୍ରମଣ ନେଇ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଜମ୍ମୁ ଏୟାରବେସ ଉପରେ ଡ୍ରୋନ  ଜରିଆରେ ପ୍ରଥମ ବିସ୍ଫୋରଣ ବିଳମ୍ବିତ ରାତି ପ୍ରାୟ ୧ଟା ୨୭ ମିନିଟ୍ ଏବଂ ଦ୍ଵିତୀୟ ବିସ୍ଫୋରଣ ୧ଟା ୩୨ ମିନିଟରେ ଘଟିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିସ୍ଫୋରଣ ପାଇଁ ଏକ୍ସପ୍ରୋସିଭ ଡିଭାଇସର ବ୍ୟବହାର କରାଯାଇଛି।

Get real time updates directly on you device, subscribe now.