Breaking- ବିରଜା ହାଟ ପୁରୁଣା ଜାଗାକୁ ଫେରିବା ପରେ ଗଣ୍ଡଗୋଳ, ହାଟ ସାମୟିକ ଭାବେ ବନ୍ଦ, ପୋଲିସ ମୁତୟନ

ଯାଜପୁର- ବିରଜା ହାଟ ବନ୍ଦ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ସାମୟିକ ଭାବେ ବନ୍ଦ ହେଲା ହାଟ । ହାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଳେ ଉପଜିଲ୍ଲାପାଳ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ରାସ୍ତାରୋକ ଓ ସାମ୍ନାସାମ୍ନି ସ୍ଥିତିକୁ ଦେଖି ସେଠାରେ ପୋଲିସ ମୁତୟନ କରାଯାଇଛି ।

ବିରଜା ହାଟ ସ୍ଥାନାନ୍ତରକୁ ନେଇ ଲାଗିରହିଥିଲା ଅସନ୍ତୋଷ । ବିରଜା ପ୍ରକଳ୍ପ ପାଇଁ ୨ଶହ ବର୍ଷ ପୁରୁଣା ହାଟକୁ ଗତ ଜାନୁଆରୀରରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା । ଫଳରେ ଯେଉଁଚାଷୀମାନେ ସେମାନଙ୍କ ଅମଳ ପରିବା ବିକ୍ରି କରିବାକୁ ଚାହୁଁଥିଲେ, ସେମାନେ ଅନେକ ସମସ୍ୟା ଭୋଗୁଥିଲେ । ତେଣୁ ପୂର୍ବ ସ୍ଥାନକୁ ହାଟ ଉଠାଇ ନେବାକୁ ଦାବି ହୋଇ ଆସୁଥିଲା । କିନ୍ତୁ ବିଜେଡି ସରକାର ପ୍ରକଳ୍ପ ନାଁରେ ପୁରୁଣା ସ୍ଥାନକୁ ହାଟ ଉଠାଇବାକୁ ରାଜି ନ ଥିଲେ ।

ଏବେ ବିଜେପି ସରକାର ନିକଟରେ ଦାବି ହେବାରୁ ଲୋକଙ୍କ ସୁବିଧା ପାଇଁ ପୁରୁଣା ଜାଗାକୁ ହାଟ ନେବାକୁ ନିଷ୍ପତ୍ତି ହୋଇଥିଲା । ଆଜି ହାଟ ମନ୍ଦିର ନିକଟକୁ ପୁରୁଣା ଜାଗାରେ ଖୋଲିବାର ଥିଲା । ହେଲେ ହାଟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ସପକ୍ଷବାଦୀ ଓ ବିପକ୍ଷବାଦୀ । ହାଟରେ ଲୋକ ନିଜ ବେପାର ବଣିଜ କରିବାକୁ ନିଜ ଜିନିଷପତ୍ର ଧରି ପହଞ୍ଚିବା ବେଳକୁ ବିପକ୍ଷବାଦୀ ଆସି ଗଣ୍ଡଗୋଳ କରିଥିଲେ । ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେପଟେ ଏହି ହାଟ ପ୍ରସଙ୍ଗରେ ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିଲା । ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକ ବିଧାୟକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଚେନ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଥିଲା । ବିଧାୟକ ହିମାଂଶୁ ଶେଖର ସିଧା ଏଥିରେ ପ୍ରଣବଙ୍କ ନାଁ ଆଣିଥିଲେ । ଏହି ଅଭିଯୋଗ ପରେ ପ୍ରଣବ ମଧ୍ୟ ସାମ୍ନାକୁ ଆସି ଏଥିରେ ତାଙ୍କ ହାତ ନଥିବା କହିଥିଲେ । କିନ୍ତୁ ବିରଜା ପ୍ରକଳ୍ପକୁ ନେଇ ଲୋକେ ତାଙ୍କୁ ଭେଟିବା ବେଳେ ବିଧାୟକ ସେମାନଙ୍କ କଥା ନ ଶୁଣିବାରୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା କହିଥିଲେ ପ୍ରଣବ । ଏଠାରେ କହି ରଖୁ କି, ବିରଜା ପ୍ରକଳ୍ପ ଥିଲା ବବିଙ୍କ ଏକ ଆତ୍ମସ୍ୱାର୍ଥ ସାଧନ ପାଇଁ ବହୁ ଆକାଂକ୍ଷିତ ଯୋଜନା ।