ଶ୍ରୀମନ୍ଦିରରେ ରକ୍ତର ଛିଟା; ଉତ୍ତର ଦ୍ଵାର ନିକଟରେ ଛୁରାମାଡ଼, ଦାଦା-ପୁତୁରା ଆହତ
ଆଧ୍ୟାତ୍ମିକ ସହର ପୁରୀ ଶ୍ରୀକ୍ଷେତ୍ରରେ ପୁଣି ହିଂସା । ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଛୁରାମାଡ଼ ହୋଇଛି, ତାହା ପୁଣି ସ୍ପଷ୍ଚ ଦିବାଲୋକରେ ।
ପୁରୀ: ଆଧ୍ୟାତ୍ମିକ ସହର ପୁରୀ ଶ୍ରୀକ୍ଷେତ୍ରରେ ପୁଣି ହିଂସା । ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଛୁରାମାଡ଼ ହୋଇଛି, ତାହା ପୁଣି ସ୍ପଷ୍ଚ ଦିବାଲୋକରେ । ଏହି ଛୁରାମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନେ ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେପଟେ ଛୁରାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଏନେଇ ସିଂହଦ୍ବାର ଥାନାରେ ଏତଲା ଦିଆଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।
ତେବେ ଛୁରାମାଡ଼ ହୋଇଥିବା ଦାଦା-ପୁତୁରା ଉଭୟେ ମାର୍କଣ୍ଡେଶ୍ଵର ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଚିକିତ୍ସା ପାଇଁ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛୁରାମାଡ଼ର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଉଭୟ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଥିଲେ। ଏହି ସମୟରେ ଏକ ବାଇକ୍ରେ କିଛି ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ଦାଦା ଓ ପୁତୁରାଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ତେବେ ପୁରୀରେ ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି। ଜନଗହଳିପୂର୍ଣ୍ଣ ଓ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।