fbpx

ମହୁମାଛି ଆକ୍ରମଣରେ ୨ ଜଣ ଗୁରୁତର, ୧୩ ଆହତ: ମହୁମାଛି ଡଙ୍କ ମଣିଷର ମୃତ୍ୟୁର କାରଣ କାହିଁକି ସାଜୁଛି, କ’ଣ କହୁଛନ୍ତି ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ବେଳେବେଳେ କିଛି ସ୍ଥାନରେ କାହାକୁ ମହୁମାଛି ଆକ୍ରମଣ କରିଥିବାର ଶୁଣାଯାଇଥାଏ । ମହୁମାଛି ଜଣେ ମଣିଷକୁ କାମୁଡ଼ିବା ଫଳରେ ଶରୀରର ବିଭିନ୍ନ ସ୍ଥାନ ଫୁଲିଯିବା ସହିତ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ଅଧିକ କଷ୍ଟ ଅନୁଭବ ନହୁଏ ତେବେ ଅନେକ ଲୋକ ଏହାକୁ ସାଧାରଣ ଭାବି ତେଲ ମାଲିସ କରିଦେଇ ଘରେ ଚୁପଚାପ ବସିଯାଇଥାନ୍ତି । ତେବେ ଆପଣମାନେ ହୁଏତ ଜାଣିନଥିବେ ମହୁମାଛି ଆକ୍ରମଣ କରିବା ଫଳରେ ଆପଣଙ୍କର ମୃତ୍ୟୁ ଘଟିପାରେ ।

ମହୁମାଛି ଆକ୍ରମଣରେ ଗତ ମାର୍ଚ୍ଚ ମାସରେ ହରିୟାଣାରେ ଜଣେ ୩୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଗତ ମାସରେ ମହାରାଷ୍ଟ୍ରରେ ମହାଦେବଙ୍କୁ ଦର୍ଶକ କରିବାକୁ ଯାଇଥିବା ଦୁଇ ଜଣ ଶ୍ରଦ୍ଧାଳୁ ମହୁମାଛି ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ମହୁମାଛି ମଣିଷ ପାଇଁ ଏତେ ଭୟଙ୍କର ହୋଇଥିଲେ ହେଁ ଗତବର୍ଷ ଅଷ୍ଟ୍ରେଲିଆ ସରକାର ୬୦ ଲକ୍ଷ ମହୁମାଛିଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲେ । ମହୁମାଛି ଡଙ୍କ ମାରିବା ଦ୍ୱାରା ଯଦି ଆପଣଙ୍କର ଆଲର୍ଜି ହୁଏ, ତେବେ ତାହା ଗମ୍ଭୀର ହୋଇପାରେ । ତେବେ ଯଦି ଏକସଙ୍ଗେ ମହୁମାଛି ଦଳ ଜଣଙ୍କ ଉପରେ ଆକ୍ରମଣ କରନ୍ତି, ତେବେ ସେ କ୍ଷେତ୍ରରେ ଗମ୍ଭୀର ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ତେଣୁ ସେଭଳି ସ୍ଥିତିରେ ଜରୁରୀକାଳୀନ ଭିତ୍ତିରେ ଡାକ୍ତରଙ୍କ ସହ ପରାମର୍ଶ କରାଇବା ଜରୁରୀ ।

ମହୁମାଛି ଡଙ୍କ ମାରିବା ଦ୍ୱାରା ସିରିୟସ ଆଲର୍ଜି ରିଆକ୍ସନ ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହି ଗମ୍ଭୀର ଆଲର୍ଜି ପ୍ରତିକ୍ରିୟାକୁ ମେଡିକାଲ ଭାଷାରେ ‘ଏନାଫିଲେକ୍ସିସ’ କୁହାଯାଏ । କେବଳ ମହୁମାଛି ନୁହନ୍ତି, ଯେ କୌଣସି କୀଟପତଙ୍ଗ ଡଙ୍କ ମାରିବା ଫଳରେ ‘ଏନାଫିଲେକ୍ସିସ’ର ଏକ ବର୍ଗ ବିକଶିତ ହୋଇଥାଏ ବୋଲି ଡାକ୍ତରମାନେ କହିଛନ୍ତି । ତେବେ ଆଜି ରାଜ୍ୟର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ପଞ୍ଚାୟତରେ କିଛି ଲୋକଙ୍କୁ ମହୁମାଛି ଆକ୍ରମଣ କରିଛି । ଫଳରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବା ସହ ୧୩ ଜଣ ଆହତ ହୋଇଛନ୍ତି ।

Get real time updates directly on you device, subscribe now.