ନୂଆଦିଲ୍ଲୀ: ସାଧାରଣ ଭାବେ ସମୟ ସ୍ରୋତରେ ଆମ ସମସ୍ତଙ୍କର ବୟସ ବଢ଼ିବାରେ ଲାଗିଥାଏ । ବୟସ ଥରେ ଚାଲିଗଲେ ଆଉ ଫେରେନାହିଁ । ତେବେ ଅଚାନକ ବୟସ କମିଯାଏ ବୋଲି ଆପଣ କେବେ ଶୁଣିଛନ୍ତି କି? ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ । ଅଚାନକ ଦେଶବାସୀଙ୍କର ବୟସ ୧-୨ ବର୍ଷ କମିଯାଇଛି । କାଲି ଯାହାହାର ବୟସ ୨୪ ବର୍ଷ ଥିଲା ଆଜି ତାଙ୍କର ବୟସ ୨୨ ବା ୨୩କୁ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଦକ୍ଷିଣ କୋରିଆରେ ବୟସ ଗଣନା ପାଇଁ ପୂର୍ବରୁ ଚାଲିଆସୁଥିବା ପାରମ୍ପରିକ ସିଷ୍ଟମ ସମାପ୍ତ ହୋଇଯାଇଛି । ଏହି କାରଣରୁ ସେଠାକାର ଲୋକଙ୍କର ବୟସ ୧-୨ ବର୍ଷ କମି ଯାଇଛି । ପୂର୍ବରୁ ଏକ ଅଲଗା ପ୍ରଣାଳୀରେ ବୟସ ଗଣନା କରାଯାଉଥିଲା । ଯଦ୍ୱାରା କି ଶିଶୁଟିଏ ଜନ୍ମଲାଭ କରିବା ପରେ ୧ ବର୍ଷର ହୋଇଯାଉଥିଲା । ନୂଆ ବର୍ଷ ଆସିବା ମାତ୍ରକେ ବୟସ ଆହୁରି ଗୋଟିଏ ବର୍ଷ ବଢ଼ିଯାଉଥିଲା ।
ଦକ୍ଷିଣ କୋରିଆରେ ଏବେ ବୟସ ଗଣନା ପାଇଁ ପାରମ୍ପରିକ ପଦ୍ଧତିକୁ ସମାପ୍ତ କରାଯାଇ ନୂଆ ସିଷ୍ଟମକୁ ଲାଗୁ କରାଯାଇଛି । ସାରା ଦୁନିଆର ଲୋକମାନେ ଯେଉଁ ପଦ୍ଧତିକୁ ଗ୍ରହଣ କରି ବୟସ ଗଣନା କରୁଛନ୍ତି, ଦକ୍ଷିଣ କୋରିଆରେ ଏବେ ସେହି ନୂଆ ପ୍ରଣାଳୀ ଲାଗୁ ହୋଇଛି । ଫଳରେ ସେଠାକାର ଲୋକମାନେ ଏବେ ୧-୨ ବର୍ଷର ଯୁବକ ହୋଇଯାଇଛନ୍ତି । ଏଣିକି ସେଠାରେ ଜନ୍ମ ତାରିଖଠାରୁ ହିଁ ବୟସ ଗଣନା କରାଯିବ । ପୂର୍ବରୁ ଦକ୍ଷିଣ କୋରିଆରେ ବୟସ ଗଣନା ପାଇଁ ‘କୋରିୟନ ଏଜ’ ସିଷ୍ଟମ ରହିଥିଲା । ଉକ୍ତ ସିଷ୍ଟମ ଅନୁସାରେ ଜନ୍ମହେବା ପରେ ଶିଶୁର ବୟସ ଏକ ବର୍ଷ ବୋଲି ଗ୍ରହଣ କରାଯାଉଥିଲା । ଫଳରେ ସମୟ ଅତିକ୍ରାନ୍ତ ହେବା ଫଳରେ ଶିଶୁର ବୟସ ଗୋଟିଏ ବର୍ଷ ଅଧିକ ବଢ଼ିଯାଉଥିଲା ।