fbpx

NCTE ସ୍ପଷ୍ଟ କଲା: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ B.Ed କରିଥିବା ପ୍ରାର୍ଥୀ, ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବି.ଏଡ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ପାଇଁ ଯୋଗ୍ୟ ହେବେ । ଏହି ବି.ଏଡ୍ ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ମିଳିଛି । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ) ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଜାରି କରାଯିବା ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏହି କ୍ରମରେ ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବି.ଏଡ୍ କରିଥିବା ଛାତ୍ରଛାତ୍ରୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତିରେ ସ୍ୱତନ୍ତ୍ର ଶିକ୍ଷାରେ ବର୍ଷିକିଆ ବି.ଏଡ ପ୍ରାର୍ଥୀଙ୍କୁ ସାମିଲ କରାଯାଇଥିବା ବେଳେ ଦୁଇବର୍ଷିଆ ବି.ଏଡ୍ ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଇଥିଲା । ଫଳରେ ଏହାକୁ ନେଇ ବିବାଦ ଉପୁଜିବାସହ ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀଙ୍କୁ କେଉଁ ଆଧାରରେ ବାଦ୍ ଦିଆଯାଉଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠିଥିଲା । ମାତ୍ର ଏବେ ଏନସିଟିଇ ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇ ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ କରିଥିବା ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସାମିଲ କରାଯିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ୨୦୦୪-୦୫ ଶିକ୍ଷାବର୍ଷ ଠାରୁ ବର୍ଷିକିଆ ବି.ଏଡ୍ ଦୁଇବର୍ଷିଆ ବି.ଏଡରେ ରୂପାନ୍ତରିତ ହୋଇଥିଲା । ଏନସିଟିଏର ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟର ବହୁ ଦୁଇବର୍ଷିଆ ବି.ଏଡ୍ ଧାରୀ ବିଶେଷ ଭାବେ ଉପକୃତ ହେବେ ।

Get real time updates directly on you device, subscribe now.