ଅଣ୍ଡର-୧୯ ଏସିଆ କପର ଶିଡ୍ୟୁଲ ଘୋଷଣା: ପୁଣି ଥରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ ଟି-୨୦ର ସଫଳତା ପରେ ଏସିଆନ କ୍ରିକେଟ କାଉନସିଲ ପୁରୁଷ ଅଣ୍ଡର-୧୯ ଏସିଆ କପର ଶିଡ୍ୟୁଲ ଘୋଷଣା କରିଛି । ବରିଷ୍ଠ ଖେଳାଳିଙ୍କ ପରେ ଏବେ ଏସିଆର ଜୁନିୟର ଖେଳାଳିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ । ନଭେମ୍ବର ୨୯ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି ଟୁଣ୍ଣାଁମେଣ୍ଟ ଖେଳାଯିବ । ଏହି ପ୍ରତିଯୋଗିତାରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିବେ, ଯେଉଁଥିରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଜାପାନ, ୟୁଏଇ ଓ ନେପାଳ ଅଂଶଗ୍ରହଣ କରିବେ ।

୧୯୮୯ ମସିହାରେ ବାଂଲାଦେଶରେ ପ୍ରଥମ ଥର ପାଇଁ ପୁରୁଷ ଅଣ୍ଡର-୧୯ ଏସିଆ କପ୍ ଖେଳାଯାଇଥିଲା । ଏହାର ଗତ ୩ଟି ସଂସ୍କରଣ ୟୁଏଇରେ ଖେଳାଯାଇଥିବା ବେଳେ ଏଥର ୧୧ତମ ସଂସ୍କରଣ ଖେଳାଯିବ । କ୍ରମାଗତ ଚତୁର୍ଥ ଥର ପାଇଁ ଚଳିତ ଥର ୟୁଏଏଇ ଏହାକୁ ଆୟୋଜନ କରିବ । ୨୯ ନଭେମ୍ବରରେ ଖେଳାଳଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ । ୮ଟି ଟିମ୍ ମଧ୍ରୁ ୪-୪ଟି ଲେଖାଏଁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ, ଜାପାନ ଓ ୟୁଏଇ ରହିଥିବା ବେଳେ ଗ୍ରୁପ-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ରହିଛନ୍ତି । ଗ୍ରୁପର ପ୍ରତି ଟିମକୁ ପରସ୍ପର ସହ ୧-୧ଟି ମ୍ୟାଚ ଖେଳିବାକୁ ପଡ଼ିବ । ଏହାପରେ ଦୁଇ ଗ୍ରୁପର ଟପ-୨ ଟିମ ସେମିଫାଇନାଲକୁ କ୍ୱାଲିଫାଏ କରିବେ । ନଭେମ୍ବର ୩୦ରେ ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଡିସେମ୍ବର ୬ରେ ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ଖେଳାଯିବା ପରେ ୮ରେ ଫାଇନାଲ ଖେଳାଯିବ ।