U19 Asia Cup; ପାକିସ୍ତାନୀ ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ବିପକ୍ଷରେ ସୃଷ୍ଟି କଲେ ନୂଆ ଇତିହାସ

ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମହା ମୁକାବିଲା ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୨୮୨ ରନର ବଡ଼ ଲକ୍ଷ୍ୟ ଦେଇଛି । ତେବେ ଏହି ମ୍ୟାଚରେ ଇତିହାସ ସୃଷ୍ଟି କରିବା ସହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ପାକିସ୍ତାନର ଷ୍ଟାର କ୍ରିକେଟର । ଏହାର ସାକ୍ଷୀ ରହିଛି ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମ । ପାକିସ୍ତାନର ଷ୍ଟାର ବ୍ୟାଟର ଶାହଜେବ ଖାନ ଭାରତ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିବା ସହ ଇତିହାସ ସୃଷ୍ଟି କରିଛନ୍ତି ।

ଶାହଜେବ ଖାନଙ୍କ ଶତକ ବଳରେ ପାକିସ୍ତାନ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୮୧ ରନ୍ ସଂଗ୍ରହ କରିଛି । ଭାରତ ବିପକ୍ଷରେ ଶାହଜେବ ୧୫୯ ରନର ଏକ ବିଧ୍ୱଂସକ ପାଳି ଖେଳିଛନ୍ତି । ଏହାସହିତ ଓପନର ଉସମାନ ଖାନ ମଧ୍ୟ ୬୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ତେବେ ଶାହଜେବ ଏହି ଶତକ ସହ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ଉସ୍ମାନ ଖାନଙ୍କ ସହ ଓପନିଙ୍ଗ କରି ଶାହଜେବ ଭାରତୀୟ ବୋଲରଙ୍କୁ ଟାର୍ଗେଟ କରିଥିଲେ । ପ୍ରଥମ ୱିକେଟ ପାଇଁ ପାକିସ୍ତାନର ଏହି ୨ ଷ୍ଟାର ଖେଳାଳି ୪୬୦ ରନର ଭାଗିଦାରୀ କରିବାରେ ସକ୍ଷମ ହୋଇଛନ୍ତି । ଶତକୀୟ ଇନିଂସରେ ଶାହଜେବ ୧୪୭ ବଲରୁ ୧୫୯ ରନ୍ ହାସଲ କରିଛନ୍ତି । ଏହି ପାଳିରେ ଶାହଜେବ ୫ଟି ଚୌକା ଏବଂ ୧୦ଟି ବିଶାଳ ଛକା ବୃଷ୍ଟି କରିଥିଲେ ।

ତେବେ ଭାରତ ବିପକ୍ଷରେ ଶାହଜେବଙ୍କ ଏହି ଶତକ ରେକର୍ଡ ବୁକରେ ସାମିଲ ହୋଇଛି । ଗୋଟିଏ ଇନିଂସରେ ଶତକ ହାସଲ କରି ଶାହଜେବ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ଶାହଜେବଙ୍କ ୧୫୯ ରନର ଇନିଂସ ଭାରତ (ଅଣ୍ଡର-୧୯ ଟିମ) ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ପାଲଟିଛି । ଏହାସହିତ ଶାହଜେବ ସମୀ ଅସଲମ (୧୩୪ରନ୍)ଙ୍କୁ ପଛରେ ପକାଇଛନ୍ତି । ସେହିପରି ଭାରତ ବିପକ୍ଷରେ ସ୍ମରଣୀୟ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ନିଜ ନାମ ସାମିଲ କରିଛନ୍ତି ଶାହଜେବ । ଏହାବ୍ୟତୀତ ଏହି ଶତକୀୟ ଇନିଂସରେ ଶାହଜେବ ୧୦ ଟି ଛକା ହାସଲ କରିଛନ୍ତି । ଫଳରେ ୟୁଥ୍ ଦିନିକିଆରେ ପାକିସ୍ତାନୀ ବ୍ୟାଟର(ଅଣ୍ଡର-୧୯) ଭାବରେ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ଶାହଜେବ ନିଜ ନାମରେ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ କାମରାନ ଗୁଲାମ(୭ ଛକା)ଙ୍କ ନାମରେ ରହିଥିଲା ।