(Video) U19 Asia Cup; ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ: ସେମି ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ସେମି ଫାଇନାଲରେ ଗ୍ରାଣ୍ଡ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । ୟୁଏଇକୁ ମାତ୍ ଦେଇ ଭାରତ ସେମି ଫାଇନାଲ ଟିକେଟ ହାସଲ କରିଛି । ସେପଟେ ପାକିସ୍ତାନ ମଧ୍ୟ ସେମି ଫାଇନାଲରେ ପହଞ୍ଚିସାରିଛି । ଗ୍ରୁପ-ଏ’ରୁ ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ମଜା ଆହୁରି ବଢିଯାଇଛି । ତେବେ ଟିମ ଇଣ୍ଡିଆକୁ ସେମି ଫାଇନାଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ଷ୍ଟାର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଶାରଜାହରେ ବିସ୍ଫୋରକ ବ୍ୟାଟିଂ ସହ ଭାରତକୁ ୧୦ ୱିକେଟରେ ବିଜୟ ଭେଟି ଦେଇଛନ୍ତି ବୈଭବ । ଏହାସହିତ ସେମି ଫାଇନାଲ ପାଇଁ ମଧ୍ୟ ଟିମ ଇଣ୍ଡିଆ ଟିକେଟ ହାସଲ କରିଛି ।

ଆଜି ଶାରଜାହ ଷ୍ଟାଡିୟମରେ ଭାରତ ଏବଂ ୟୁଏଇ ମୁହାଁମୁହିଁ ହୋଇଥିଲେ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ୟୁଏଇ । ୪୪ ଓଭରରୁ ମାତ୍ର ୧୩୭ ରନ୍ କରି ୟୁଏଇ ଅଲ୍ ଆଉଟ ହୋଇଥିବା ବେଳେ ଭାରତକୁ ୧୩୮ ରନର ଟାର୍ଗେଟ ମିଳିଥିଲା । ଏହି ଲକ୍ଷ୍ୟର ପିଛା କରି ଭାରତ ବିନା କୌଣସି ୱିକେଟ ହରାଇ ମ୍ୟାଚରେ ବିଜୟ ହାସଲ କରିଛି । ଏହାସହିତ ସେମି ଫାଇନାଲ ପାଇଁ ମଧ୍ୟ ସ୍ଥାନ ପକ୍କା କରିଛି ଟିମ ଇଣ୍ଡିଆ । ୟୁଏଇର ୧୩୮ ରନ୍ ଲକ୍ଷ୍ୟକୁ ମାତ୍ର ୧୬.୧ ଓଭରରେ ହାସଲ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ଷ୍ଟାର ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ଅର୍ଦ୍ଧଶତକ ଏବଂ ଆୟୁଷ ମହାତ୍ରେଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇପାରିଛି । ୧୩ ବର୍ଷର ଷ୍ଟାର ଓପନର ବୈଭବ ମାତ୍ର ୪୬ ବଲରୁ ୭୬ ରନ୍ ସଂଗ୍ରହ କରିଛନ୍ତି । ଏହି ବିସ୍ଫୋରକ ଇନିଂସରେ ୩ଟି ଚୌକା ସହ ୬ଟି ଛକା ସାମିଲ ରହିଛି । ସେହିପରି ଆୟୁଷ ମଧ୍ୟ ୪ଟି ଚୌକା ଏବଂ ୪ଟି ଛକା ସହ ୫୧ ବଲରୁ ୬୭ ରନ୍ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ୟୁଏଇ ୧୩୭ ରନରେ ଅଲ ଆଉଟ ହୋଇଥିଲା । ରାୟନ ଖାନ୍ ସର୍ବାଧିକ ୩୫ ରନ କରିଥିବା ବେଳେ ଅକ୍ଷତ ୨୬ ରନ୍ କରିଛନ୍ତି । କିନ୍ତୁ ଭାରତର ଦମଦାର ବୋଲିଂ ୟୁନିଟ ଆଗରେ ୟୁଏଇର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛନ୍ତି । ଟିମ ଇଣ୍ଡିଆ ତରଫରୁ ୟୁଦ୍ଧଜୀତ ଗୁହା ସର୍ବାଧିକ ୩ଟି ସଫଳତା ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଚେତନ ଶର୍ମା ଏବଂ ହାର୍ଦ୍ଦିକ ରାଜ୍ ୨ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ କେପି କାର୍ତ୍ତିକେୟ ଏବଂ ଆୟୁଷ ମହାତ୍ରେ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ତେବେ ଏହି ବିଜୟ ସହ ସେମି ଫାଇନାଲକୁ ପାଦ ଥାପିଛି ଟିମ ଇଣ୍ଡିଆ ।