fbpx

ଏମିତି ହେଲେ ସବୁ ସରକାର ଭାଙ୍ଗିଯିବ, ସୁପ୍ରିମକୋର୍ଟରେ ଉଦ୍ଧବ ଗୋଷ୍ଠୀଙ୍କ ଦଲିଲ୍, ଅଗଷ୍ଟ ୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶିବସେନାର ୧୬ ବିଧାୟକଙ୍କ ଅଯୋଗ୍ୟତା ଏବଂ ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଖୁବ୍ ବିତର୍କ ଦେଖିବାକୁ ମିଳିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ ଏବଂ ସିନ୍ଦେ ଗୋଷ୍ଠୀଙ୍କ ତରଫରୁ ହରିଶ ସାଲଭେ କୋର୍ଟରେ ହାଜର ହୋଇଥିଲେ। ସୁପ୍ରିମକୋର୍ଟ ଆଜି କୌଣସି ପ୍ରକାରର ଆଦେଶ ଦେବାକୁ ମନା କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୧ ତାରିଖ ଧାର‌୍ୟ୍ୟ କରିଛନ୍ତି। ଅଦାଲତ ସମସ୍ତ ପକ୍ଷଙ୍କୁ ଗୋଟିଏ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରି ଜବାବ ରଖିବାକୁ କହିଛନ୍ତି।

ଶୁଣାଣି ସମୟରେ ଉଦ୍ଧବଙ୍କ ପକ୍ଷରୁ ହାଜର ଆଇନଜୀବୀ କପିଲ ସିବଲ କହିଛନ୍ତି, ଯେଉଁଭଳି ସରକାରଙ୍କୁ ଗାଦିଚ୍ୟୁତ୍ କରାଗଲା, ତାହା ଗଣତନ୍ତ୍ର ପ୍ରତି ଉପହାସ ଥିଲା। ଅଯୋଗ୍ୟତା ଆବେଦନ ବିଚାରଧୀନ ଥିବା ବେଳେ ଶପଥ ଗ୍ରହଣ ଆୟୋଜନ ହେଲା। ଶପଥ ଗ୍ରହଣ ପାଇଁ ଯାଚିକା ଉପରେ ଶୁଣାଣି ହେବା ପର‌୍ୟ୍ୟନ୍ତ ଅପେକ୍ଷା କରାଯାଇ ପାରିଥାନ୍ତା। ମାତ୍ର ତରବରିଆ ଭାବେ ସବୁ କରାଗଲା। ଯଦି ଏହି ମାମଲାକୁ ସଠିକ୍ ଦର୍ଶାଯିବ ତେବେ ଦେଶରେ ନିର୍ବାଚିତ ପ୍ରତିଟି ସରକାର ଏମିତି ବେଦଖଲ ହୋଇ ଚାଲିଥିବେ। ତେଣୁ ସିନ୍ଦେ ସରକାର ଅବୈଧ ଅଟେ ଏବଂ ଏହାକୁ ସରକାରରେ ରହିବାର କୌଣସି ଅଧିକାର ନାହିଁ।

ସିବଲ କହିଛନ୍ତି, ଯଦି ଏହି ପରି ରାଜ୍ୟ ସରକାରଙ୍କୁ ବେଦଖଲ କରାଯିବ ତେବେ ଗଣତନ୍ତ୍ର ବିପଦରେ ପଡିଯିବ। ଅଦାଲତ ଯେ ପର‌୍ୟ୍ୟନ୍ତ ନିଷ୍ପତ୍ତି ଦେଇ ନାହାନ୍ତି ସେ ପର‌୍ୟ୍ୟନ୍ତ ଅପେକ୍ଷା କରାଯିବାର ଥିଲା। ଯାହା ସବୁ ଘଟୁଛି ତାହା ଗଣତନ୍ତ୍ର ପ୍ରତି ଉପହାସ ବୋଲି ସିବଲ କହିଛନ୍ତି। ଉଦ୍ଧବ ଠାକରେଙ୍କ ପକ୍ଷରୁ ହାଜର ଅନ୍ୟ ଜଣେ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ନେବା ପାଇଁ ବାଚସ୍ପତିଙ୍କୁ ଅଧିକାର ଦେବା ଉଚିତ୍ ନୁହେଁ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କ ଦଲିଲ୍ ଉପରେ ଜବାବ ଦେଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କହିଛନ୍ତି, ଏହି ମାମଲା ଦଳବଦଳ ପରି ନୁହେଁ। ଏହା ପାର୍ଟିର ଆଭ୍ୟନ୍ତରୀଣ ଗଣତନ୍ତ୍ରର ମାମଲା।

ସିନ୍ଦେଙ୍କ ପକ୍ଷରୁ ହାଜର ଓକିଲ ହରିଶ ସାଲଭେ କହିଛନ୍ତି, ଏହି ମାମଲା ଦଳ ଅଦଳ ବଦଳର ନୁହେଁ। ଯଦି ଆପଣ କୌଣସି ଦଳକୁ ଯିବେ ନାହିଁ ଏବଂ ନିଜ ନେତାଙ୍କ ଉପରେ ପ୍ରଶ୍ନ କରିବେ ଏଥିରେ ଭୁଲ୍ କିଛି ନୁହେଁ। ଦଳବଦଳ ଆଇନ ତେବେ ଲାଗୁ ହୁଏ ଯେବେ ଆପଣ ଅନ୍ୟ କୌଣସି ଦଳରେ ଯୋଗ ଦେବେ। ଏଠାରେ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତା ହରାଇଥିଲେ। ପାର୍ଟି ଭିତରେ ବିନା କୌଣସି ଦଳ ପରିବର୍ତ୍ତନ କରି ସ୍ଵର ଉଠାଇବା ଭୁଲ୍ ନୁହେଁ ବୋଲି ସାଲଭେ କହିଛନ୍ତି।

Get real time updates directly on you device, subscribe now.