fbpx

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବଦଳିବ ସ୍ନାତକ ପାଠ୍ୟକ୍ରମ, ୨୦୨୪-୨୫ ଶିକ୍ଷାବର୍ଷରୁ ଲାଗୁହେବ ନୂଆ ପାଠ୍ୟ ଖସଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ (ୟୁଜି)ରେ ପାଠ୍ୟକ୍ରମ ବଦଳିବ । ୨୦୨୪-୨୫ ଶିକ୍ଷାବର୍ଷରୁ ନୂଆ ପାଠ୍ୟ ଖସଡ଼ା ଲାଗୁ କରାଯିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ସିଏଚଏଚଇ) ପକ୍ଷରୁ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତି ଚାଲିଛି । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତିକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି ।

ତେବେ ନୂଆ ପାଠ୍ୟକ୍ରମରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଗବେଷଣା ସହ ପ୍ରଶିକ୍ଷଣ ସୁଯୋଗ ମିଳିପାରିବ । ଗତ ୨୦୧୬ ମସିହାରେ ରାଜ୍ୟରେ ସ୍ନାତକ ପାଠ୍ୟକ୍ରମ ବଦଳିଥିବା ବେଳେ ସେହିବର୍ଷ ପ୍ରଥମ ଥର ଚଏସ୍ ବେସଡ୍ କ୍ରେଡିଟ୍ ସିଷ୍ଟମ (ସିବିସିଏସ)କୁ ଲାଗୁ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେଥିରେ କିଛିଟା ପରିବର୍ତ୍ତନ କରାଯାଇ ୨୦୧୯ରେ ତାହାକୁ ଲାଗୁ କରାଯାଇଥିଲା । ତେବେ ୫ ବର୍ଷ ପରେ ପାଠ୍ୟ ଖସଡ଼ାକୁ ପୁଣି ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ପ୍ରସ୍ତାବିତ ପାଠ୍ୟକ୍ରମକୁ ‘ମଡେଲ ସିଲାବସ’ ଭାବେ ନାମକରଣ କରାଯାଇଥିବା ବେଳେ ସେଥିରେ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଇଛି । ଏଥିସହିତ କ୍ରୀଡ଼ା, ବିଭିନ୍ନ ଭାଷାକୁ ବୁଝିବା ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ପିଲାମାନେ ପାଠ ପଢ଼ିବା ସହିତ କିପରି ନିଜର ପ୍ରତିଭାର ବିକାଶ କରିପାରିବେ ତା’ ଉପରେ ମଧ୍ୟ ଫୋକସ୍ କରାଯାଉଛି । ଏହି ସିଲାବସରେ ସ୍ନାତକ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣଶିପ୍ କରିବାର ସୁଯୋଗ ପାଇବେ । କଳା ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ‘ଏହି ମଡେଲ ସିଲାବସ୍’ ଲାଗୁ ହେବ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଶିଳ୍ପ କ୍ଷେତ୍ରର ଅଧିକାରୀ, ବୈଷୟିକ ବିଶେଷଜ୍ଞ, ପରିଷଦର ପ୍ରଫେସରଙ୍କୁ ନେଇ ଏହି ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି । ଆବଶ୍ୟକ ସ୍ଥଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ପରିବର୍ତ୍ତନ କରିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯିବ ।

Get real time updates directly on you device, subscribe now.