fbpx
BSKY
BJD MS SKY
BJD YOUTH SKY

‘ଗୋଟିଏ ବି ଆସନ ଛାଡ଼ିବୁ ନାହିଁ…’, ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସକୁ ମମତାଙ୍କ ଚେତାବନୀ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ, ମାର୍କ୍‌ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୁଧବାର ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି । ରାଜ୍ୟରେ ମାକପା ୩୪ ବର୍ଷର ଶାସନ ସମୟରେ ଲୋକଙ୍କୁ ପ୍ରତାଡ଼ିତ କରିଥିଲେ ଏବଂ ଏଥିପାଇଁ ବାମ ଦଳ(ସିପିଏମ)କୁ କେବେ ବି କ୍ଷମା କରିପାରିବେ ନାହିଁ ବୋଲି ମମତା କହିଥିଲେ । ଏହା ସହ ସେ କଂଗ୍ରେସ ସମ୍ମୁଖରେ ସର୍ତ୍ତ ରଖିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ଟିଏମସି ସହ ଆସନ ବୁଝାମଣା କରିବାକୁ କଂଗ୍ରେସ ଆନ୍ତରିକତାର ସହ ଚାହୁଁଥାଏ ତେବେ କଂଗ୍ରେସକୁ ପ୍ରଥମେ ବାମଦଳ ସହ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ । ନହେଲେ କଂଗ୍ରେସକୁ ଗୋଟିଏ ବି ଆସନ ଛାଡ଼ିବୁ ନାହିଁ ବୋଲି ମମତା ଚେତାବନୀ ଦେଇଛନ୍ତି ।

କହିରଖୁଛୁ କଂଗ୍ରେସକୁ ଦୁଇଟି ଆସନ ଛାଡ଼ିବ ବୋଲି ଟିଏମସି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ କଂଗ୍ରେସ ପ୍ରତ୍ୟାଖାନ କରିସାରିଛି । କେତେକ ରାଜ୍ୟରେ ସିପିଏମ୍ ସହ କଂଗ୍ରେସ ମେଣ୍ଟ କରୁଥିବାରୁ ମମତା କ୍ଷୋଭ ପ୍ରକାଶ କରିଛନ୍ତି । ବୁଧବାର ମାଲଦା ଠାରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଅତୀତରେ ସିପିଏମ୍ କର୍ମୀମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । କେବଳ ଶୁଭେଚ୍ଛୁଙ୍କ ଆର୍ଶୀବାଦ କାରଣରୁ ସେ(ମମତା) ଜୀବିତ ଅଛନ୍ତି । ତେଣୁ ବାମ ଦଳକୁ କୌଣସି ପରିସ୍ଥିତିରେ କ୍ଷମା କରିବାକୁ ସେ ପ୍ରସ୍ତୁତ ନାହାନ୍ତି । କଂଗ୍ରେସକୁ ୨ଟି ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିବା ସତ୍ତେ୍ୱ କଂଗ୍ରେସ ଅଧିକ ଆସନ ଦାବି କରିବା ହାସ୍ୟସ୍ପଦ ବୋଲି ମମତା କହିଛନ୍ତି । ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୋଟ ୪୨ ଆସନରୁ ଟିଏମସି ସର୍ବାଧିକ ୨୨ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପିକୁ ୧୮ ଓ କଂଗ୍ରେସକୁ ୨ଟି ଅସନ ମିଳିଥିଲା ।

Get real time updates directly on you device, subscribe now.