fbpx

UGCର ନୂଆ ଗାଇଡଲାଇନ୍! MMS କାଣ୍ଡ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ନିକଟରେ ଦେଶର ଏକାଧିକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କର ଏମଏମଏସ ମାମଲା ସାମ୍ନାକୁ ଆସିଛି । ତେଣୁ ଏଭଳି ସ୍ଥିତିରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଯୁବତୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାର ବାତାବରଣ ନେଇ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏ ବାବଦରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଜାତୀୟ ଶିକ୍ଷା ନୀତି ଅଧିନରେ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଏପରି ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି ।

ଏ ବାବଦରେ ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଲୋଡ଼ା ଯାଇଛି । ଆସନ୍ତା ନଭେମ୍ବର ୧୪ ତାରିଖ ସୁଦ୍ଧା ଏହି ପରାମର୍ଶ ସବୁ ଗ୍ରହଣ କରାଯିବ । ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଏନେଇ ଏକ ନୋଟିସ ଜାରି କରି ସୂଚନା ଦେଇଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ । ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ବ୍ୟବହାର ଓ ଆଚରଣ ନିୟମ ଉପରେ ଆଧାରିତ ଏକ ପୁସ୍ତିକା ପ୍ରଦାନ ଯିବା ଉଚିତ ବୋଲି ନୋଟିସରେ କୁହାଯାଇଛି ।

ନୂଆ ଗାଇଡଲାଇନ୍ ମୁତାବକ, ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସୁରକ୍ଷା ପାଇଁ ସୁବନ୍ଦୋବସ୍ତ କରାଯିବା ଆବଶ୍ୟକ । ମହିଳାଙ୍କ ପାଇଁ ସ୍ୱଚ୍ଛତା ଓ ସଫାସୁତୁରା ନେଇ ବ୍ୟବସ୍ଥା କରାଯିବ । ବିଶ୍ରାମ ରୁମରେ ୨୪ ଘଣ୍ଟିଆ ପାଣି ପଲାଏ, ସାବୁନ, ସାନିଟାରି ଭେଣ୍ଡିଂ ମେଶିନ ଆଦିର ବ୍ୟବସ୍ଥା ରହିବ । ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଧ୍ୟାନରେ ରଖି କଲେଜର ରାସ୍ତାଘାଟରେ ଆଲୋକ ଓ ପରିବହନର ଉପଯୁକ୍ତ ବ୍ୟବସ୍ଥା କରାଯିବ । ଏକ ନିର୍ଭରଯୋଗ୍ୟ ସୁରକ୍ଷା ଫାର୍ମରୁ ପର୍ଯ୍ୟାପ୍ତ ସଂଖ୍ୟକ ମହିଳା ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କ୍ୟାମ୍ପସର ଚାରି ଦିଗରେ ପାଚେରୀ ବ୍ୟବସ୍ଥା ରହିବ । କ୍ୟାମ୍ପସରେ ରାସ୍ତା, ଲାଇବ୍ରେରୀ, ଖେଳ ପଡ଼ିଆ, ପାର୍କ, ଲ୍ୟାବ, ପାର୍କିଂ କ୍ଷେତ୍ରରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ଗାଇଡଲାଇନରେ କୁହାଯାଇଛି ।

Get real time updates directly on you device, subscribe now.