ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଙ୍କଟ ବଢିବାରେ ଲାଗିଛି । ପ୍ରତ୍ୟେକ ବିଦେଶୀ ରାଷ୍ଟ୍ର ନିଜର ନାଗରିକ ମାନଙ୍କୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଲେଣି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ର ମାନଙ୍କୁ ଫେରି ଆସିବା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ୟୁକ୍ରେନରେ ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ର ଫସି ରହିଛନ୍ତି । ଗାଇଡଲାଇନ୍ ରେ କୁହାଯାଇଛି ଯେ, ୟୁକ୍ରେନ୍ ରେ ବର୍ତ୍ତମାନର ସ୍ଥିତି ଓ ଅନିଶ୍ଚିତତା କୁ ଆଖି ଆଗରେ ରଖି ୟୁକ୍ରେନ୍ ରେ ରହୁଥିବା ଭାରତୀୟ ନାଗରିକ, ଖାସ୍ କରି ଛାତ୍ରଛାତ୍ରୀ; ଯେଉଁ ମାନେ ଅସ୍ଥାୟୀ ଭାବେ ରହୁଛନ୍ତି । ସେମାନେ ଦେଶ ଛାଡ଼ିବା ଉପରେ ବିଚାର କରିପାରିବେ । ଏହା ବ୍ୟତୀତ ଭାରତୀୟ ନାଗରିକଙ୍କୁ ୟୁକ୍ରେନ୍ ଭିତରକୁ ଜରୁରୀ ନଥିଲେ ଯାତ୍ରା ନ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଆମେରିକା ନିଜର ୪ ବି-୫୨ ବାମ୍ବର୍ ଯୁଦ୍ଧ ବିମାନ ବ୍ରିଟେନ୍ ରେ ମୁତୟନ କରିଛି । ଏହି ବିମାନ ଗୁଡ଼ିକ ପରମାଣୁ ବୋମା ସହିତ ଭୁମଧ୍ୟ ସାଗରରେ ୟୁକ୍ରେନ୍ ସୀମା ଆଖପାଖରେ ଉଡାଣ ଭରିଛି । ଏକ ରିପୋର୍ଟ ମୁତାବକ, ଏହି ବୋମାବର୍ଷକ ନାର୍ଥ ଡାକୋଟାରୁ ବ୍ରିଟେନ୍ ପହଞ୍ଚିଛନ୍ତି ଓ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବେ । ଅନ୍ୟପଟେ ଋଷ ପଟରୁ ୟୁକ୍ରେନ୍ ସୀମାରେ ୧.୩୦ ଲକ୍ଷ ସେନା ମୁତୟନ କରାଯାଇଛି । ଏଥିମଧ୍ୟରେ ୧.୧୨ ଲକ୍ଷ ଯବାନ ରହିଥିବା ବେଳେ ୧୮ ହଜାର ନୌସେନା ଓ ବାୟୁସେନାର ଯବାନ ରହିଛନ୍ତି ।