ଘରୁ ବାହାରନ୍ତୁ ନାହିଁ! ରାଜଧାନୀରେ ଅତି ବାଇଗଣୀ ରଶ୍ମୀର ଇଣ୍ଡେକ୍ସ ୧୩ ଛୁଇଁଲା, ସନବର୍ଣ୍ଣ, ଦୃଷ୍ଟିଶକ୍ତି ହ୍ରାସ ଓ କର୍କଟ ରୋଗକୁ ନେଇ ଆଶଙ୍କା କଲେ ବିଶେଷଜ୍ଞ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ରୌଦ୍ର ତାପରେ କଲବଲ ହେଉଛନ୍ତି ରାଜଧାନୀ ବାସିନ୍ଦା । ସକାଳ ୮ଟା ସମୟରେ ତାପମାତ୍ରା ୩୪ ଡିଗ୍ରୀ ଟପି ଯାଉଛି । ତେଣୁ ଲୋକମାନେ ନିଜକୁ ବଞ୍ଚାଇବା ପାଇଁ କେବଳ କୁଲର, ଏସିର ସାହାରା ନେଉଛନ୍ତି । ଗତ ୧୬ ତାରିଖରେ ଦିନ ୧୧ଟା ସମୟରେ ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀରେ ପହଞ୍ଚି ଯାଇଥିଲା । ଲାଗୁଥିଲା ରାଜଧାନୀର ରାସ୍ତାଘାଟ ସତେ ଯେମିତି ଏକ ଉତ୍ତପ୍ତ ଲୌହ ପିଣ୍ଡ ପାଲଟି ଯାଇଥିଲା ।
ତେବେ ଏହି ଅସହ୍ୟ ଗୁଳୁଗୁଳି ମଧ୍ୟରେ ରାଜଧାନୀବାସୀଙ୍କ ପାଇଁ ଆସିଛି ଏକ ବଡ଼ ଚିନ୍ତାଜନକ ଖବର । ଦିନ ୧.୩୦ ପରେ ପାଗ ସାମାନ୍ୟ ମେଘୁଆ ହୋଇଥିବା ବେଳେ ଭୂପୃଷ୍ଠକୁ ଅଧିକ ଇନଫ୍ରାରେଡ୍ କିରଣ ଅଧିକ ଆସିଥିଲା । ଏଥିସହିତ ଅତିବାଇଗଣୀ ରଶ୍ମୀ ବା ଅଲଟ୍ରା ଭାୟୋଲେଟ (ୟୁଭି) ରଶ୍ମୀର ଇଣ୍ଡେକ୍ସ ୧୩ ରହିଥିଲା । ଅତିବାଇଗଣୀ ରଶ୍ମୀର ଏହି ମାତ୍ରା ଅତ୍ୟନ୍ତ ବିପଜ୍ଜନକ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସରେୁନ୍ଦ୍ରନାଥ ପଶୁପାଳକ ମତ ଦେଇଛନ୍ତି ।
ମଣିଷ ପାଇଁ ଏହି ଅତି ବାଇଗଣୀ ରଶ୍ମୀ ଅତ୍ୟନ୍ତ ବିପଦ ସାଜିଥାଏ । ଏହା ସନବର୍ଣ୍ଣ ସହିତ ଚର୍ମ ଓ ଆଖିକୁ ନଷ୍ଟ କରିଦେଇପାରେ । ଦିନ ୧୧ଟାରୁ ୧୨ଟା ମଧ୍ୟରେ ୟୁଭିର ମାତ୍ରା ସର୍ବାଧିକ ଥାଏ । ଗତବର୍ଷ ମଧ୍ୟ ରାଜଧାନୀରେ ଏଭଳି ସ୍ଥିତି ଦେଖାଦେଇଥିଲା । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ଘରୁ ବାହାରିଲେ ମଣିଷ ପାଇଁ ବିପଦ ବୋଲି କୁହାଯାଇଥିଲା । ୫ ମିନିଟ ଖରାରେ ସିଧାସଳଖ ସଂସ୍ପର୍ଶରେ ଆସିଲେ କର୍କଟ ରୋଗ ଆଶଙ୍କା ରହିଥାଏ । ତେଣୁ ଏନେଇ ରାଜଧାନୀବାସୀ ସତର୍କ ରହିବା ନିହାତି ଜରୁରୀ ।